କଳାହାଣ୍ଡି ( ଏଟିଆର ବ୍ୟୁରୋ): ଡହଡହ ଖରାରେ ଭାଜି ହେଉଛି ଓଡିଶା । ଯୁଆଡେ ଦେଖିବ ସିଆଡେ ଟାଇଁ ଟାଇଁ ଖରା ମୁହଁ ହାତ ଜାଳି ପକାଉଛି । ଖରା ପାଇଁ ଲୋକେ ବହୁତ ହନ୍ତସନ୍ତ ହେଲେଣି । ଏତେ ସବୁ ଭିତରେ ଯଦି ପିଇବା ପାଇଁ ପାଣି ନ ମିଳିବ ଜୀବନ ଆଉ ରହିବ ଟି । ଗାଁରେ ଅଚଳ ହୋଇ ପଡିଥିବା ୪ ଟି ନଳକୂପ ନାଁ ସଜଡା ଯାଉଛି ନାଁ ପାନୀୟ ଜଳ ପାଇଁ କିଛି ବ୍ୟବସ୍ଥା କାଯାଉଛି । ଯାହାକୁ ନେଇ ରାଜରାସ୍ଥାକୁ ଓହ୍ଲାଇଛନ୍ତି ଛୁଆଠୁ ବୁଢା । ପାଣିଟୋପେ ପାଇଁ ଏ ଡହଡହ ଖରାରେ ହାଣ୍ଡି କଂସା ଥୋଇ ନିଜ ହକ ପାଇଁ କରୁଛନ୍ତି ଲଢେଇ ।
ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଡୁଂରୀଗୁଡାରେ । ପାଣି ପାଇଁ ଲୋକେ ଗରା କୁଣ୍ଡ ଥୋଇ ରାଜରାସ୍ତା ଅବରୋଧ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ତାଙ୍କ ଗାଁରେ ୬ ଟି ନଳକୂପ ରହିଛି । ମାତ୍ର ସେଥିମଧ୍ୟରୁ ୪ ଟି ବେକାର । ବହୁତ ଥର ଏ ବିଷୟରେ ଜଣାଇଲେ ମଧ୍ୟ କୌଣସି ବ୍ୟବସ୍ଥା କରାଯାଉନାହିଁ ।
ଆଉ ଚଳି ହେବନି , ବହୁତ ହେଇଗଲା , ପାଣି ଦିଅ ଆମେ ବାଟ ଛାଡିବୁ । ପାଣି ଟୋପେ ପାଇଁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ୨୫୦୦ ଲୋକ କେମିତି ୨ ଟି ନଳକୂପରେ ଚଳିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଯେ ପର୍ଯ୍ୟନ୍ତ ପାଣିର ବନ୍ଦୋବସ୍ତ ନ କରାଯାଇଛି ସେ ପର୍ଯ୍ୟନ୍ତ ରାଜପଥ ବନ୍ଦ ରହିବ ବୋଲି ସେମାନେ କହିଛନ୍ତି ।