ସମ୍ବଲପୁର (ଏଟିଆର ବ୍ୟୁରୋ); ବୁର୍ଲା ଭୀମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ବିନୀ ପୂଜାହାରୀ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ସ୍ତରର ରାଜନୈତିକ ଦଳରେ ଯୋଗଦେବେ ବୋଲି ସଙ୍କେତ ଦେଇଛନ୍ତି । । ସେ ଜଣେ କର୍ମଠ ବ୍ୟକ୍ତି ଏବଂ ଦିନକୁ ୧୦-୧୨ ଘଣ୍ଟା କାମ କରିବା ତାଙ୍କ ଅଭ୍ୟାସ ରହିଛି । ତେବେ ସେ ଏତେ ଲମ୍ୱା ଛୁଟିରେ କେବେ ଯାଇନଥିଲେ । ଏନେଇ ବାରମ୍ୱାର ସେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ ମଧ୍ୟ ତାଙ୍କୁ କୌଣସି ଉତ୍ତର ମଧ୍ୟ ମିଳିଲାନି । ଏକ ପ୍ରକାର ମାନସିକ ସଂଘର୍ଷରେ ଗତି ସେ ଗତି କରୁଥିଲେ । ତେବେ ଇସ୍ତଫା ଛଡା କୌଣସି ଉପାୟ ନଥିଲା ବୋଲି ପୂଜାହାରୀ କହିଛନ୍ତି ।
ମୁଁ ଏଠାକୁ ଆସିବା ପରେ ଲୋକଙ୍କର ଅସୁବିଧା ହେଲା । ପିଲାଙ୍କର କ୍ଲାସ୍ ଠିକରେ ହେଉ ନଥିଲା । ମୁଁ ଆସିବା ପରେ ଠିକରେ କ୍ଲାସ ହେଲା । କର୍ମଚାରୀମାନେ ସବୁବେଳେ ବିଳମ୍ବରେ କ୍ଲାସକୁ ଆସୁଥିଲେ । ଆଉ ସେଥିପାଇଁ ମୁଁ କ୍ଲାସ ଆରମ୍ଭ ହେବା ପୂର୍ବରୁ ୧୫ ମିନିଟ୍ କ୍ଲାସରେ ବସୁଥିଲି । ଡାକ୍ତରଙ୍କ ସହ ପିଜି ଷ୍ଟୁଡ଼େଂଟମାନେ ମଧ୍ୟ ବିଳମ୍ବରେ ଆସୁଥିଲେ । ଏହାବ୍ୟତୀତ ନର୍ସମାନେ ଡ୍ୟୁଟି ସମୟରେ ବେସରକାରୀ ଭାବେ ତଥା ନର୍ସି ହୋମରେ କାମ କରୁଥିଲେ । ଏଥିପାଇଁ ମୁଁ ବାରମ୍ବାର ବିରୋଧ କରିଛି । ମୁ ଆସିବା ପରେ ଅଧିକ ସଂଖ୍ୟାରେ ରୋଗୀ ଆସିଲେ । ହସ୍ପିଟାଲ ପରିସରର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେଉଥିଲି । ଆଉ ସେଥିପାଇଁ ମୋ ବିରୋଧରେ ଷଡ଼ଯନ୍ତ୍ର ଚାଲିଥିଲା । ଏହାବ୍ୟତୀତ ସେ କହିଛନ୍ତି, ରାଜନୀତିରେ ଯୋଗଦେବି କି ନାହିଁ ଏବେ କିଛି ଚିନ୍ତାକରିନାହିଁ ।
ସୂଚନାଯୋଗ୍ୟ ଯେ, ଚିକିତ୍ସା ତ୍ରୁଟି ନେଇ ଭିମସାରର ତତ୍କାଳୀନ ନିର୍ଦ୍ଦେଶକ ଅଶ୍ବିନୀ ପୂଜାହାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିବା ପରେ ତଦନ୍ତ କରାଯାଇଥିଲା । ତଦନ୍ତ ରିପୋର୍ଟ ଆଧାରରେ ଗତ ଡିସେମ୍ବର ୭ତାରିଖରେ ଅଶ୍ବିନୀ ପୂଜାହାରୀଙ୍କୁ ଛୁଟିରେ ଯିବାକୁ କହିଥିଲେ ରାଜ୍ୟ ସରକାର । ଅଶ୍ବିନୀ ପୂଜାହାରୀଙ୍କ ବିରୋଧରେ ଜୁନିଅର ଡାକ୍ତରମାନେ ମଧ୍ୟ ଅଭିଯୋଗ ଆଣିଥିଲେ । ଏସବୁକୁ ନେଇ ଅଶ୍ବିନୀ ପୂଜାହାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଥିଲା । ଏହାପରେ ସେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତାଙ୍କର ଜବାବ ଦେଇଥିଲେ । ତେବେ ରାଜ୍ୟ ସରକାର ଏହା ଉପରେ କୌଣସି ପଦକ୍ଷେପ ନେଇନଥିଲେ । ଏପରିକି ତାଙ୍କ ଉତ୍ତର ମିଳିଥିବା ନେଇ ମଧ୍ୟ କୌଣସି ସୂଚନା ଆସିନଥିଲା ।