ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗତକାଲି ସନ୍ଧ୍ୟାରେ ମାର୍କେଟ ବିଲ୍ଡିଂରେ ହୋଇଥିବା ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ନାମରେ ଦଙ୍ଗା ଦଫା ଲଗାଇଛି କମିଶନରେଟ ପୋଲିସ । ଗତକାଲି ଘଟଣାରେ ପୋଲିସ ୧୮ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ନାମରେ ପୋଲିସ ଦଙ୍ଗା ଦଫା ଲଗାଇଥିବା ସୂଚନା ମିଳିଛି । ଗିରଫ ହୋଇଥିବା ୧୮ ଜଣଙ୍କ ମଧ୍ୟରେ ୧୨ ଜଣ ନାବାଳକ ରହିଥିବା ବେଳେ ୬ ଜଣ ସାବାଳକ ରହିଛନ୍ତି । ସେମାନେ ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି ଜଣା ପଡିଛି । ଏହି ଘଟଣାରେ ଆହୁରି ୩ ଜଣ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପୋଲିସ ଏବେ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ।
ଏହି ଆକ୍ରମଣ ଘଟଣାରେ ୩୦ ଜଣ ସଂମ୍ପୃକ୍ତୁ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ୨୧ ଜଣଙ୍କୁ ଚିହ୍ନଟ କରାଯାଇଛି । ଏହି ଘଟଣାରେ ଆକ୍ରମଣ କାରୀଙ୍କୁ ରୋକିବା ପାଇଁ ଚେଷ୍ଟା କରି ଆହତ ହୋଇଥିବା ୨ ଜଣ ପୋଲିସ କନେଷ୍ଟବଳଙ୍କୁ ପୁରସ୍କୃତ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ଘୋଷଣା କରାଯାଇଛି । ପ୍ରଶଥମିକ ତଦନ୍ତରୁ ଜଣା ପଡିଛି ଜଣେ ମହିଳା ଘଣ୍ଟା କିଣିବାକୁ ଆସି ସେଠାରେ ଜଣେ ଘଣ୍ଟା ଦୋକାନୀଙ୍କ ସହିତ କଳି ହୋଇଥିଲା । ପରେ ମହିଳା ଜଣଙ୍କ ଏମିତି କାଣ୍ଡ ଭିଆଇଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଘଟଣା ଥାନା ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା ଓ ସେଠାରେ ଆପୋଷ ବୁଝାମଣା ହୋଇଥିଲା । ତେବେ ପ୍ରକୃତ ଘଟଣା କ’ଣ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ ।