ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଚିଲିକାରେ ହେବନି ଜଳ ବିମାନ ବନ୍ଦର । ଚାଲିବନି ଓ୍ୱାଟର ଏରୋଡ୍ରମ୍ । ଏଭଳି ପ୍ରସ୍ତାବରୁ ଓହରିଯାଇଛନ୍ତି କେନ୍ଦ୍ର ସରକାର । ଚିଲିକାର ପ୍ରାକୃତିକ ଜୈବ ବିବିଧତା କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏପରି ନିଷ୍ପତି ନେଇଥିବା ଜଣା ପଡିଛି । ଚିଲିକାରେ ଜଳ ବିମାନ ବନ୍ଦର କରାଗଲେ ପଖାପାଖି ୧୦ ଲକ୍ଷ ପକ୍ଷୀ ପ୍ରଭାବିତ ହେଉଥିବା ବେଳେ ଜଳଚର ଜୀବ ମାନଙ୍କ ଜୀବନ ପ୍ରତି ଏହା ବିପଦ ପକାଇବା ବୋଲି ଜଣା ପଡିଛି ।
ଚିଲିକାରେ ଜଳ ବିମାନ ବନ୍ଦର ପ୍ରସ୍ତାବକୁ ପୁର୍ବରୁ ବହୁ ସଂଗଠନ ବିରୋଧ କରିଥିଲେ । ତେବେ କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ବନ୍ଦ କରିବାକୁ ଜିଏ ବିଭାଗକୁ ଜଣାଇଥିଲେ । ଏହାପରେ ଏ ସମ୍ପର୍କରେ ସିଡିଏ ସେପ୍ଟେମ୍ବର ୪ ତାରିଖରେ ଏଏଆଇକୁ ଜଣାଇଥିଲା । ଖାଲି ସେତିକି ନୁହେଁ ରାଜ୍ୟ ସରକାର ମଧ୍ୟ ଚିଲିକାରେ ଜଳ ବିମାନ ବନ୍ଦର ହେବାକୁ ବିରୋଧ କରିଥିଲେ ।
ଗତ ୭ ତାରିଖରେ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ମଧ୍ୟରେ ଭିଡିଓ କନଫରେନ୍ସିଂ ରେ ଏ ସମ୍ପର୍କରେ ବାତ୍ତାଳାପ ହୋଇଥିଲା । ଏହି ଅବସରରେ ରାଜ୍ୟ ସରକାର ଚିଲିକାରେ ଜଳ ବିମାନ ବନ୍ଦର ପ୍ରସଙ୍ଗ ଉଠାଇଥିଲେ । ଚିଲିକାରେ ଜଳ ବିମାନ ବନ୍ଦର ପ୍ରକଳ୍ପକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ଏହି ଅନୁରୋଧକୁ ରକ୍ଷା କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ପ୍ରୋଜେକ୍ଟରୁ ଓହରିଥିବା ଜଣାଇଛନ୍ତି। ଅନ୍ୟପଟେ ଚିଲିକାରେ ଜଳ ବିମାନ ବନ୍ଦର କରାଗଲେ ଲକ୍ଷ ଲକ୍ଷ ପକ୍ଷୀ,ଜଳଚର ଜୀବ ଓ ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବୀ ପ୍ରଭାବିତ ହେବେ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଅଭିଯୋଗ ହେଇଥିଲା ।