ବ୍ରହ୍ମପୁର ( ଏଟିଆର ବ୍ୟୁରୋ): ଆମେ ସାଧାରଣତ ଜାଣିଛେ ସ୍କୁଲରେ ପାଠ ପଢା ଘଣ୍ଟି ସହିତ ଖାଇବା ଘଣ୍ଟି ଓ ଖେଳିବା ଘଣ୍ଟି ବାଜିଥାଏ । ହେଲେ ଆପଣ କେଉଁଠି ଶୁଣିଛନ୍ତି କି ବିଦ୍ୟାଳୟରେ ପାଣି ପିଇବା ଘଣ୍ଟି ବାଜେ । ତେବେ ଏଭଳି ଏକ ନୂଆ ନିୟମ ଆରମ୍ଭ ହୋଇଛି ଗଞ୍ଜାମ ଜିଲ୍ଲାରେ । ଆଜିଠାରୁ ଜିଲ୍ଲାର ସମସ୍ତ ସ୍କୁଲରେ ନିୟମିତ ଭାବେ ପାଣି ପିଇବା ଘଣ୍ଟି ବାଜିବ । ସେହି ଗଣ୍ଟି ବାଜିଲେ ପିଲାମାନେ ପାଣି ପିଇବେ । ଦିନକୁ ଏମିତି ଘଣ୍ଟି ୩ ଥର ବାଜିବ । ପିଲାମାନଙ୍କ ଶରୀର ସୁସ୍ଥ ରହିବା ପାଇଁ ଏମିତି ଏକ ଅଭିନବ ନିୟମ କରାଯାଇଛି ।ବ୍ରହ୍ମପୁର ରୋଡ ଭିରିଗିଡି ଉଚ୍ଚ ବାଳିକା ବିଦ୍ୟାଳୟରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାର ଉଦଘାଟନ କରିଛନ୍ତି ।
ଆଜିଠାରୁ ଜିଲ୍ଲାର ସମସ୍ତ ସ୍କୁଲରେ ଏହି ବ୍ୟବସ୍ଥା କରାଯିବ । ଏହି ସ୍ୱିତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଯୋଗ ଦେଇ ପିଲାମାନଙ୍କୁ ଜଳର ଉପକାରିତା ବୁଝାଇବା ସହିତ ଏକ ସୁନ୍ଦର ସ୍ୱାସ୍ଥ୍ୟପାଇଁ ଜଳର ଆବଶ୍ୟକତା କେତେ ଯେ ଅଧିକ ତାହା ଅବଗତ କରାଇଛନ୍ତି । ତେବେ ଆସନ୍ତୁ ଜାଣିବା ପାଣି ପିଆ ଘଣ୍ଟିର ସମୟ । ସୋମ- ଶୁକ୍ରବାର ଯାଏ ଦିନ ୧୧.୪୦, ୧.୩୦ ଓ ୩.୧୫ । ଶନିବାର ୮.୦୦,୯.୩୦ ଓ ୧୦.୫୦ ସମୟରେ ସ୍କୁଲରେ ୱାଟର ବେଲ ବାଜିବ।