ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶୀତକାଳୀନ ଅଧିବେଶନର ଆଜି ତୃତୀୟ ଦିବସ ହୋଇଥିବା ବେଳେ ପ୍ରଶ୍ନ ଉତ୍ତର କାଳରେ କଂଗ୍ରେସର ବିଧାୟକ ତାରା ପ୍ରସାଦ ବାହୀନୀପତି ଜଳସେଚନ ସାମର୍ଥ୍ୟ ସମ୍ପର୍କରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତରରେ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି କି, ୨୦୦୯ ମାର୍ଚ୍ଚ ମାସ ଭିତରେ ରାଜ୍ୟରେ ୨୮ଲକ୍ଷ ୬୯ ହଜାର ହେକ୍ଟର ଚାଷ ଜମିରେ ଜଳସେଚନର ସୁବିଧା କରାଯାଇଥିଲା । ତେବେ ଏହା ୨୦୦୯ ଅପ୍ରେଲ ମାସଠାରୁ ୨୦୧୯ ଜୁନ ମାସ ଭିତରେ ୧୩ଲକ୍ଷ ୪୯ ହଜାର ହେକ୍ଟର ଜମିରେ ପହଞ୍ଚିଛି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୨୨ପ୍ରତିଶତ ଜଳସେଚନର ଅଭିବୃଦ୍ଧି ଘଟାଇଛି । ୨୦୧୯ ମସିହା ଜୁନ୍ ମାସ ଶେଷ ସୁଦ୍ଧା ରାଜ୍ୟରେ ୩୧୪ଟି ବ୍ଲକ୍ ମଧ୍ୟରୁ ୨୪୫ଟି ବ୍ଲକ୍ ରେ ୩୫ପ୍ରତିଶତରୁ ଅଧିକ ଚାଷ ଜମିରେ ଜଳ ସେଚନ ସୁବିଧା କରାଯାଇଛି । ବୈଷୟିକ ଓ ଭୌଗୋଳିକ ଦୃଷ୍ଟି କୋଣରୁ ୬୯ଟି ବ୍ଲକ୍ ରେ ଏପର୍ୟ୍ୟନ୍ତ ୩୫ ପ୍ରତିଶତ ଚାଷ ଜମିକୁ ଜଳ ସେଚନ ସୁବିଧା ପ୍ରଦାନ କରାଯାଇ ପାରିନାହିଁ । ଏହି ସବୁ ବ୍ଲକ୍ ଗୁଡିକରେ ଜଳ ସେଚନ ବ୍ୟବସ୍ଥାର ଅଭିବୃଦ୍ଧି ପାଇଁ ନିର୍ମାଣାଧୀନ ସେଚ ପ୍ରକଳ୍ପଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସଂପୂର୍ଣ୍ଣ କରିବା ସହ ଚେକ୍ ଡ୍ୟାମ୍, ଗଭୀର ନଳକୂପ, ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଧାର୍ୟ୍ୟ ଲକ୍ଷ ହାସଲ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ନିଜ ଉତ୍ତରରେ କହିଛନ୍ତି ।