ଭୁବନେଶ୍ୱର ( ଏଟିଆର ବ୍ୟୁରୋ):ରାତି ହେଲେ ଆଖି ଦେଖାଉଛି ଶୀତ । ଗତ ୩ ଦିନ ହେଲା ଲାଗି ରହିଥିବା ବର୍ଷା ଏବେ ଟିକେ କମିଥିବା ବେଳେ ଏବେ ଶୀତର ପ୍ରକୋପ ବଢିଛି । ପାଣିପାଗ ବିଭାଗ ଯାହା ଆକଳନ କରିଥିଲା ଏବେ ସେମିତି ଦେଖିବାକୁ ମିଳିଛି । ରାତିରେ ତାପମାତ୍ରା ୨ ରୁ ୩ ଡିଗ୍ରୀ କମ ରହୁଛି । ଯାହାଦ୍ୱାରା ରାତିରେ ଶୀତ ବଢୁଛି । ଆଜି ଠାରୁ ଶୀତ ଆହୁରି ବଢିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଅନୁଗୁଳ, କଟକ, ସୁନ୍ଦରଗଡ, ବଲାଙ୍ଗୀର, ସମେତ ସୋନପୁରରେ ଅଧିକ ଶୀତ ଅନୁଭୂତ ହେବ । ସେହିଭଳି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳିବ । ଯାହାଫଳରେ ଜନଜୀବନ ପ୍ରଭାବିତ ହେବ । ମାତ୍ର ୫ ଦିନ ପର୍ଯ୍ୟନ୍ତ ବର୍ଷା ହେବ ନାହିଁ ପାଗ ସୁଖିଲା ରହିବ । ସୂଚନାଯୋଗ୍ୟ ବିହାର ଏବଂ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ବର୍ଷା ଲାଗି ରହିଥିଲା ।