ପୁରୀ (ଏଟିଆର ବ୍ୟୁରୋ): ୪ଦିନିଆ ଓଡିଶା ଗସ୍ତରେ ଆସିଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଶ୍ରୀଜିଉଙ୍କର ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି ସଂନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଅଭିମୁଖେ ବାହାରି ଯାଇଥିଲେ । ତେବେ ଆଜି ଅପରାହ୍ନ ୪ଟା ୧୦ରେ ମନ୍ଦିର ଭିତରକୁ ପ୍ରବେଶ କରି ପ୍ରାୟ ଅଧାଘଣ୍ଟା ବିତାଇବା ପରେ ୪ଟା ୫୦ରେ ଶ୍ରୀ ମନ୍ଦିରରୁ ବାହାରକୁ ବାହାରିଥିଲେ । ମମତା ଶ୍ରୀ ଜୀଉଙ୍କ ନିକଟରେ ଦୀପ ଜାଳି ବିଶ୍ୱ ଶାନ୍ତି ପାଇଁ ଆର୍ଶୀବାଦ ଭିକ୍ଷା କରିଥିଲେ ।
ଏହାସହ ମମତା ଦେଇଥିବା ବାନା ଆଜି ନୀଳଚକ୍ରରେ ଲାଗିବା ସହ ପୁରୁଣା ବାନା ମମତାଙ୍କୁ ପ୍ରଦାନ କରାଯାଇଛି । ମନ୍ଦିରରୁ ବାହାରିବା ପରେ ଦିଦି ଗଣମାଧ୍ୟମ ପ୍ରତିନିଧିକୁ ପ୍ରତିକ୍ରିୟା ଦେଇ କହିଥିଲେ, ମୁଁ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ । ମୋ ଘରେ ପ୍ରତିଦିନ ମୁଁ ଜଗନ୍ନାଥଙ୍କୁ ପୂଜା କରିଥାଏ । ତେଣୁ ଆଜି ମହାପ୍ରଭୁଙ୍କର ଦର୍ଶନ ମୋ ପାଇଁ ସ୍ୱତନ୍ତ୍ର ଅଟେ । ସମସ୍ତ ମନୁଷ୍ୟ ଶାନ୍ତିରେ ରହିବା ପାଇଁ ଭଗବାନଙ୍କ ନିକଟରେ ପାର୍ଥନା କରିଛନ୍ତି । ମମତା ଆହୁରୀ ମଧ୍ୟ କହିଛନ୍ତି, ମନୁଷ୍ୟ ମଧ୍ୟରେ ହିଂସା ଓ ବିବାଦ ନରହିଲେ ଭଲ ।
ଭାରତୀୟମାନେ ଭାଇ- ଭଉଣୀର ସଂପର୍କ ନେଇ ରହିବା ଦରକାର । ବର୍ତ୍ତମାନ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନକୁ ନେଇ ଚାଲିଥିବା ହିଂସା ନେଇ ମମତା କହିଛନ୍ତି , ଆମେ ରକ୍ତ ଚାହୁଁ ନାହୁଁ, ଆମକୁ ଶାନ୍ତି ଦରକାର । ଶେଷରେ ମମତାଙ୍କୁ ଶ୍ରୀମନ୍ଦିର ସେବାୟତଙ୍କ ପକ୍ଷରୁ ଶ୍ରୀଜଗନ୍ନାଥଙ୍କର ପଟ୍ଟଚିତ୍ର ପ୍ରଦାନ କରାଯାଇଥିଲା । ସୂଚନାନୁଯାୟୀ , ମମତା ପୂର୍ବାଞ୍ଚଳ ଜୋନାଲ ପରିଷଦରେ ଯୋଗ ଦେବା ପାଇଁ ଓଡିଶା ଆସିଛନ୍ତି ।