ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟର ୧୪୭ଟି ବିଧାନସଭା ଆସନ ମଧ୍ୟରୁ ୧୪୬ଟି ଆସନରେ ନିର୍ବାଚନ ଫଳାଫଳ ବାହରି ସାରିଛି । ବାକି ରହିଛି ପାଟକୁରା ନିର୍ବାଚନ । ଏଠାରେ ବିଜେଡି ଏବଂ ବିଜୟଙ୍କ ସମ୍ମାନର ଲଢ଼େଇ ହେବାକୁ ଯାଉଛି । ଏଣୁ ଏହି ନିର୍ବାଚନ ଉପରେ ସମସ୍ତଙ୍କ ନଜର । ନିର୍ବାଚନ ତାରିଖ ଏବେ ସୁଦ୍ଧା ଘୋଷଣା ହୋଇନାହିଁ । ତେବେ ଜୁଲାଇ ୧୯ ସୁଦ୍ଧା ଏଠାରେ ନିର୍ବାଚନ ସରିବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।
ସାଧାରଣ ନିର୍ବାଚନକୁ କିଛିଦିନ ବାକିଥିବା ବେଳେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ହୋଇଥିଲା । ଏଣୁ ଏଠାରେ ନିର୍ବାଚନ ତାରିଖକୁ ମେ ୧୯କୁ ଘୁଞ୍ଚାଯାଇଥିଲା । ବିଜେପି ପକ୍ଷରୁ ବିଜୟ ମହାପାତ୍ର ପ୍ରାର୍ଥୀ ରହିଥିବା ବେଳେ କଂଗ୍ରେସ ପାର୍ଥୀଥିଲେ ଜୟନ୍ତ । ଉଭୟଙ୍କୁ ଟକ୍କର ଦେବା ପାଇଁବିଜେଡି ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀଙ୍କୁ ପ୍ରାର୍ଥୀ କରିଥିଲା । ତେବେ ବାତ୍ୟା ପାଇଁ ମେ୧୯କୁ ମଧ୍ୟ ଘୁଞ୍ଚାଇଥିଲେ ନିର୍ବାଚନ କମିଶନ ।
ରାଜ୍ୟରେ ବିଜେଡି ସରକାର ଗଠନ କରିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାର ବାକି ଆସନରେ ବିଜେଡି ବିଜୟୀ ହୋଇଛି । ଏହି ଆସନରେ ଏଥରକ ବିଜୟଙ୍କ ପଲ୍ଲା ଭାରି ରହିଥିବା ପୂର୍ବାନୁମାନ କରାଯାଉଥିଲା । ଏଣୁ ପାଟକୁରାରେ ବିଜେଡି ଏବଂ ବିଜୟଙ୍କ ସମ୍ମାନର ପ୍ରଶ୍ନ ଉଠିଛି । ଜନତା କାହା ଉପରେ ଭରଷା କରିବେ ତାକୁ ନେଇ ଆରମ୍ଭ ହୋଇଛି ବିଭିନ୍ନ ଚର୍ଚ୍ଚା । ବିଜେଡିର ହେବିୱେଟ ନେତାଙ୍କୁ ସଂଗଠନ ପାଇଁ ଗୋଟିଏ ଲେଖାଏଁ ପଞ୍ଚାୟତର ଦାୟିତ୍ୱ ଦିଆଯାଇଥିବା ବେଳେ ଦିଲ୍ଲୀରେ ବିଜେପି ହେବିୱେଟଙ୍କ ସହ ଭେଟ ହୋଇଛନ୍ତି ବିଜୟ ।
କେବେ ହେବ ପାଟକୁରା ନିର୍ବାଚନ? ଏହାକୁ ନେଇ ସମସ୍ତଙ୍କ ମନରେ ଉଠିଛି ପ୍ରଶ୍ନ । ପାଟକୁରାବାସୀ ନିର୍ବାଚନ କରାଇବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ଧାରଣା ଦେଇଥିବାରୁ ଦୃଶ୍ୟ ନଜରକୁ ଆସିଥିଲା । ଏଠାରେ ନିର୍ବାଚନ ତାରିଖକୁ ଘୁଞ୍ଚାଇବା ପାଇଁ ବିଜେଡି ଚକ୍ରାନ୍ତ କରୁଥିବା ବିଜେପି ପକ୍ଷରୁ ମଧ୍ୟ ଅଭିଯୋଗ ହୋଇଛି । ରାଜ୍ୟରେ ବିଜେଡି ସରକାର ଆସିବା ପରେ ଲୋକଙ୍କ ମନ ବିଜେଡି ଆଡକୁ ଝଳିବ ବୋଲି ଏଭଳି କରାଯାଉଥିବା ଅଭିଯୋଗ କରାଯାଉଛି ।