ଭୁବନେଶ୍ୱର (ଏଟିଆର ବ୍ୟୁରୋ): ‘ଅଲଗ କୋସଲ ରାଏଜ୍ ଆମର ଦାବୀ’ ଏହି ନାରା ଦେଇ ଆଜି ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ ଅଖ ଚକ ସବୁ ବନ୍ଦ ରହିଛି । କୋଶଳ ରାଜ୍ୟ ସମ୍ବନୟ ସମିତି ପକ୍ଷରୁ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିକୁ ନେଇ ଏହି ବନ୍ଦ ଡାକରା ଦିଆ ଯାଇଛି । ଏହି ୧୨ ଘଣ୍ଟିଆ ବନ୍ଦ ପାଳନ ସକାଳ ୬ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିବ ।
ଏହାର ପ୍ରଭାବ ବଲାଙ୍ଗିର, ଝାଡସୁଗୁଡା,ଅନୁଗୁଳ ବରଗଡ, କଳାହାଣ୍ଡି, ବୌଦ୍ଧ ଆଦି ଜିଲ୍ଲାରେ ଦେଖିବାକୁ ମିଳିଛି । ଦୋକାନ ବଜାର, ସ୍କୁଲ, କଲେଜ ସମେତ ସମସ୍ତ ସରକାରୀ ଏବଂ ବେସରକାରୀ ସଂସ୍ଥାମାନ ବନ୍ଦ ରହିଛି ।
ବସ୍ ଚଳାଚଳ ବନ୍ଦ ହେବା ଯୋଗୁଁ ବସ୍ ଷ୍ଟାଣ୍ଡରେ ଅଟକି ରହିଛି ସମସ୍ତ ବସ୍ । ଫଳରେ ଯାତ୍ରୀମାନେ ଅସୁବିଧାର ସମୁଖୀନ ହେଉଛନ୍ତି । ଏହାସହିତ ଆନ୍ଦୋଳନକାରୀମାନେ କୋଶଳ ରାଜ୍ୟ ଦାବିରେ ରେଲୱେ ଷ୍ଟେସନରେ ନାରାବାଜି କରିଛନ୍ତି ।