କେନ୍ଦ୍ରାପଡା( ଏଟିଆର ବ୍ୟୁରୋ): ଆଗାମୀ ଚତୁର୍ଥ ପର୍ଯ୍ୟାୟ ନନିର୍ବାଚନ ନେଇ ଆଜି ସରିଛି ପ୍ରଚାର । ରାଜ୍ୟରେ ଏ ପର୍ଯ୍ୟାୟରେ ୬ ଟି ଲୋକସଭା ଆସନ ପାଇଁ ମତଦାନ ହେଉଥିଲେ ସୁଦ୍ଧା ପୁରା ରାଜ୍ୟର ନଜର କିନ୍ତୁ ରହିଛି କେନ୍ଦ୍ରାପଡା ଲୋକସଭା ଆସନ ଉପରେ । କିଏ ଜିତିବ କେନ୍ଦ୍ରାପଡା ଲୋକସଭା ଆସନ ତାକୁ ନେଇ ଚାଲିଛି ଅଙ୍କକଷା । ଏଠି ଦୁଇ ଦଳ ପକ୍ଷରୁ ସବୁ ବେଳେ ସେଇ ଗୋଟିଏ କଥା ଶୁଣିବାକୁ ମିଳୁଛି ସ୍ୱାଭିମାନ ଓ ବେଇମାନ ମଧ୍ୟରେ ଲଢେଇ । ଏ ଭିତରେ କିଏ ସ୍ୱାଭିମାନୀ ଆଉ ବେଇମାନି ତାକୁ ନେଇ ଭୋଟରଙ୍କ ମଧ୍ୟରେ ରହିଛି ସନ୍ଦେହ । କାରଣ ଏଥର କେନ୍ଦ୍ରାପଡା ଲୋକସଭା ଆସନ ହାତେଇବା ଉଭୟ ବିଜେଡି ଓ ବିଜେପି ପାଇଁ ହୋଇଯାଇଛି ସମ୍ମାନର କଥା । ଏହି ସିଟରୁ ଏଥର ବିଜେପି ଟିକେଟରୁ ନିର୍ବାଚନ ଲଢୁଛନ୍ତି ବୈଜୟନ୍ତ ପଣ୍ଡା ।
ବୈଜୟନ୍ତ ଚଳିତ ଥର ପ୍ରଥମ ଥର କରି ବିଜେଡି ବିରୁଦ୍ଧରେ ନିର୍ବାଚନ ଲଢୁଛନ୍ତି । ବୈଜୟନ୍ତ ପଣ୍ଡା ପୂୁର୍ବରୁ ୧୦ ବର୍ଷ ବିଜେଡି ଟିକେଟରୁ ସାଂସଦ ହୋଇଥିବା ବେଳେ ଚଳିତ ଥର ପ୍ରଥମ କରି ସେ ବିଜେପିରୁ ଲଢୁଛନ୍ତି । ସେହିଭଳି ବିଜେଡି ମଧ୍ୟ ଚଳିତ ଥର ଉକ୍ତ ଆସନରେ ବୈଜୟନ୍ତକୁ ମାତ ଦେବା ପାଇଁ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ଅଭିନେତାରୁ ନେତା ହୋଇଥିବା ଅନୁଭବ ମଧ୍ୟ ରାଜନୀତିରେ ନୂଆ ନୁହଁନ୍ତି । ରାଜ୍ୟ ସଭାରେ ତାଙ୍କର ରହିଛି ୫ ବର୍ଷର ଅଭିଜ୍ଞତା, ଯାହାକୁ ପାଥେୟ କରି ସେ ମୈଦାନକୁ ଓହ୍ଲାଇଛନ୍ତି । ଅନ୍ୟପଟେ ବୈଜୟନ୍ତଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବହୁ କେନ୍ଦ୍ରୀୟ ନେତା ଆସି ପ୍ରଚାର କରୁଥିବା ବେଳେ ଅନୁଭବଙ୍କ ପାଇଁ ପ୍ରଚାରକୁ ଶାଣିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନୟକ ।
ବୈଜୟନ୍ତ ନିଜେ କରିଥିବା କିଛି ପ୍ରକଳ୍ପ ଓ ପ୍ରଧାନମନ୍ତ୍ରୀଙ୍କ ସଫଳତାକୁ ନେଇ ଲୋକଙ୍କ ପାଖକୁ ଯାଉଥିବା ବେଳେ । ଅନୁଭବ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ପୁଞ୍ଜି କରି ଲୋକଙ୍କ ପାଖକୁ ଯାଇଛନ୍ତି । ତେବେ ଆଜି ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ ରହିଥିଲା । ଆଜି ଉଭୟ ବିଜେପି ଓ ବିଜେଡି ସେମାନଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି । ତେବେ ବାକି ରହିଲା ମଝିରେ ଆଉ ଗୋଟିଏ ଦିନ । ଭୋଟର ବାଛିବେ କିଏ ସ୍ୱାଭିମାନି ଆଉ କିଏ ବେଇମାନି ?