ବାଲେଶ୍ୱର (ଏଟିଆର ବ୍ୟୁରୋ): କଥାରେ ଅଛି ମା ନାହିଁ ଯାହାର ସାହା ନାହିଁ ତାହାର । ମା କୁ ବାଦ ଦେଇ ଜୀବନର ପରିକଳ୍ପନା ଅସମ୍ଭବ । ସେଥିପାଇଁତ ପିଲାଟିଏ ବାଟ ଘାଟରେ ଟିକିଏ ଝୁଣ୍ଟି ପଡିଲେ ତା ପାଟିରୁ ଅଜାଣତରେ ବାହାରି ଆସେ ଇଲୋ ମା ଲୋ । ଦୁନିଆରେ ମଣିଷର ଯେତେ ଯିଏ ନିଜର ଥାଉ ନା କାହିଁକି ମା ପରି କିଏ ହେବ । କେବଳ ମା ହିଁ ଦୁଃଖରେ ଆହା କରେ ଆଉ ବିପଦରେ ସାହା ହୁଏ । ଏସବୁ କଥା ଆମେ ଏଥିପାଇଁ କହୁଛୁ ଯେ । ବାଲେଶ୍ୱରରେ ଗୋଟେ ମା ନିଜ ସାତ ଦିନର ପିଲାକୁ ମାତ୍ର ୨୦ ଟଙ୍କାରେ ବିକି ଦେଇଛି ।
ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଟାଉନ୍ ଥାନା ଅଞ୍ଚଳରେ ଘଟିଛି । ଦାରିଦ୍ର ପାଇଁ ମା ବାପା ପିଲା ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବାଲେଶ୍ୱର ଟାଉନ୍ ଦର୍ଘା ମଇଦାନର ପିରୁ ସେକ ନାମକ ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ ୭ ଦିନ ତଳେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ମାତ୍ର ଅଭାବ ଅନଟନ ହେତୁ ଉକ୍ତ ପିଲାକୁ ତାର ଜନ୍ମକଲା ମା ୨୦ ହଜାର ଟଙ୍କାରେ ବିକ୍ରି କରି ଦେଇଛନ୍ତି ।
ତେବେ ଏ ଘଟଣାଟି ପ୍ରଘଟ ହେବା ପରେ ପିଲା କିଣିଥିବା ମହିଳା ପିଲାଟିକୁ ତା ମାର ଜିମା ଦେଇଛନ୍ତି । ଅନ୍ୟପଟେ ପରିବାରର ଅନ୍ୟ ସଦସ୍ୟମାନେ ଏହି ଛୁଆ ବିକ୍ରିକୁ ବିରୋଧ କରିଛନ୍ତି । ସମସ୍ତଙ୍କ ଅଗୋଚରରେ ଛୁଆ ବିକ୍ରି ହୋଇଥିବା କହିଛନ୍ତି । ସବୁଠାରୁ ବଡ କଥା ହେଉଛି ଏହି ଦମ୍ପତି ପୂର୍ବରୁ ତାଙ୍କର ଏକ ପିଲାକୁ ୨୫ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ସ୍ୱୀକାର କରିଛନ୍ତି ।