ଗଞ୍ଜାମ (ଏଟିଆର ବ୍ୟୁରୋ); ମହିଳାଙ୍କ ଫାସରେ ପୋଲିସ । ଉଦ୍ଧାର କରିବା ପାଇଁ ନିଜେ ପଡିଗଲେ ଫାସରେ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ବିକ୍ରମପୁର ଗୁରୁଣ୍ଠି ସାକରପୋଇ ଗାଁରେ ଘଟିଛି ଏଭଳି ଘଟଣା । ଜଣେ କୁମାରୀ ମାକୁ ନ୍ୟାୟ ଦେବାକୁ ଯାଇ ତାତିଲେ ମହିଳା । ଏସଡିପିଓଙ୍କ ଉପସ୍ଥିତିରେ ଯାଇ ଫସିଥିବା ପୋଲିସ ଭ୍ୟାନକୁ ଉଦ୍ଧାର କରାଯାଇଛି । ନ୍ୟାୟ ଦେବାର ପ୍ରତିଶୃତି ଦେବା ପରେ ମହିଳାମାନେ ଶାନ୍ତ ହୋଇଛନ୍ତି ।
ସୂଚନାଯୋଗ୍ୟ, ସାକରପୋଇ ଗ୍ରାମରେ ଜଣେ ଯୁବକ ନାବାଳିକାଙ୍କୁ ବାହା ହେବାର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ । ସରଳ ନାବାଳିକା ଗତ ମେ’୩୧ରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ । ଛୁଆ ହେବା ପରେ ଯୁବକ ଜଣକ ବିବାହ କରିବା ପାଇଁ ମନା କରି ଦେଇଥିଲେ । ଏନେଇ ଖଲ୍ଲିକୋଟ ଥାନାରେ ଏତଲା ମଧ୍ୟ ଦିଆଯାଇଛି । କିନ୍ତୁ ପୋଲିସ ଏବେ ପର୍ଯ୍ୟନ୍ତ ଚୁପ ରହିଛି । କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଏଣୁ ଲୋକ କଥା ହେଉଛନ୍ତି କି ପୋଲିସ ମାଲ ପକେଇ ଦେଇ କେସକୁ ଚପାଇ ଦେବାକୁ ଚାହୁଁଛି ।
ତେବେ ପୋଲିସର ନ୍ୟାୟରେ ବିଳମ୍ବ ହେବାରୁ ମହିଳାମାନେ ଗାଁରେ ସଭା କରିଥିଲେ । ଏବଂ ଯୁବକଙ୍କ ମାଙ୍କୁ ମହିଳାମାନେ ଗାଁ ଦାଣ୍ଡରେ ବାନ୍ଧି ଦେଇଥିଲେ । ପୋଲିସ ଏହି ଖବର ପାିବା ପରେ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଧାଇଁ ଆସିଥିଲେ । ଯାହକୁ ନେଇ ପୋଲିସର କାର୍ଯ୍ୟକଳାପ ଉପରେ ଉଠିଛି ପ୍ରଶ୍ନବାଚୀ । ତେବେ ଯୁବକଙ୍କ ମାଙ୍କୁ ଉଦ୍ଧାର କରିବା ପାଇଁ ଆସିଥିବା ପୋଲିସ ବାବୁମାନେ ମଧ୍ୟ ମହିଳାଙ୍କ ଆକ୍ରୋଶର ଶିକାର ହୋଇଥିଲେ ।
ପୋଲିସ ଗାଡିକୁ ଅଟକାଇ ମହିଳା । ଏହାପରେ ସ୍ଥାନୀୟ ଏସଡିପିଓ ଖବର ପାଇ ପୋଲିସ ଫୋର୍ସ ଧରି ଗାଁରେ ପହଁଞ୍ଚିଥିଲେ । ଉତ୍ୟକ୍ତ ମହିଳାଙ୍କୁ ବୁଝା ଶୁଝା କରିବା ପରେ ଶାନ୍ତ ପଡିଥିଲେ ମହିଳା । ତେବେ ଆଗାମୀ ଦିନରେ କୁମାରୀ ମାଆକୁ ନ୍ୟାୟ ନମିଳିଲେ ଆନ୍ଦୋଳନ ଜୋର୍ଦାର୍ ହେବ ବୋଲି ମହିଳା ଗୋଷ୍ଠୀ ପକ୍ଷରୁ ଚେତାଇ ଦିଆଯାଇଛି।