ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଚାଲିଗଲା ତିତଲି , ନେଇଗଲା ଅନେକ ଜୀବନ । ବାତ୍ୟା ତିତଲିକୁ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ‘ଜିରୋ କାଜୁଆଲିଟି’ ସମ୍ପୁର୍ଣ୍ଣ ବିଫଳ ହୋଇଛି । ତିତତି ପାଇଁ ଏବେଯାଏଁ ଗଲାଣି ୪୨ ଜୀବନ । ବନ୍ୟା ପ୍ରଭାବରେ ଗଜପତି ଜିଲ୍ଲାରେ ମୋଟ ୪୨ ଜଣଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିବା ବେଳେ ନେତା , ମନ୍ତ୍ରୀ ଓ ଅଧିକାରୀ ମାନେ ‘ଜିରୋ କାଜୁଆଲିଟି ’ ସଫଳ ହୋଇଛି ବୋଲି କହୁଥିବା ଦେଖାଦେଇଛି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଅଧିକାରୀ ମାନେ ରାତାରାତି ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିବା ବେଳେ ବାତ୍ୟା ତିତଲି ଓଡିଶା ଉପକୂଳ ଗଞ୍ଜାମ , ଗଜପତିରେ ପ୍ରଳୟ ଭିଆଇଛି । କେଉଁଠି ପାହାଡ ଧସି ଲୋକଙ୍କ ମୃତ୍ୟୁ ହୋଇଛି ତ କେଉଁଠି ବନ୍ୟା ପାଣିରେ ଲୋକେ ଭାସିଯାଇ ନିଖୋଜ ହୋଇଛନ୍ତି । ଗଜପତି ଜିଲ୍ଲା ରାୟଗଡ ବ୍ଲକ ରଙ୍ଗାବାଡ ପଞ୍ଚାୟତରେ ପାହାଡ ଧସି ଯିବାରୁ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କଇଁପୁର ପଞ୍ଚାୟତରେ ଅନୁରୂପ ଭାବରେ ପାହାଡ ଧସି ୧୫ ଜଣ ନିଖୋଜ ହୋଇଛନ୍ତି । ତେବେ ନିଖୋଜ ୧୫ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ମୃତଦେହ ମିଳିଥିବା ବେଳେ ଏବେ ମଧ୍ୟ ୮ ଜଣ ନିଖୋଜ ଅଛନ୍ତି ।
ଅନ୍ୟପଟେ ଲକ୍ଷ୍ମୀପୁରରେ ୨ ଜଣ ନିଖୋଜ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକର ମୃତଦେହ ହସ୍ତଗତ ହୋଇପାରିଛି । ସେହିପରି ଗଣ୍ଡାହାତୀରେ ୨ ଜଣ ନିଖୋଜ ଥିବା ବେଳେ ଲାଇଲାଇରେ ବି ୨ ଜଣ ନିଖୋଜ ଅଛନ୍ତି । ଖାଲି ସେତିକି ନୁହେଁ ମୋହନାରେ ମଧ୍ୟ ୨ ଜଣ ନିଖୋଜ ଥିବା ସୂଚନା ମିଳିଛି । ଏ ସମସ୍ତ ମୃତ୍ୟୁ ଓ ନିଖୋଜ ଜନିତ ଖବର ଖୋଦ କଇଁପୁରର ‘ପଞ୍ଚାୟତ ନିର୍ବାହୀ ଅଧିକାରୀ’ (ପିଇଓ) ଏବଂ ସରପଞ୍ଚ ସୂଚନା ଦେଇଛନ୍ତି।ଏପରିକି ପ୍ରଶାସନ ମଧ୍ୟ ଏଭଳି ମୃତ୍ୟୁ ଖବରକୁ ସ୍ୱିକାର କରିଛି । ନିକଟରେ ଗଙ୍ଗାବାଡରେ ୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ଜଣାଇଥିଲା । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ‘ଜିରୋ କାଜୁଆଲିଟି ’ ସଫଳ ହୋଇଛି କି ନା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।