ଯାଜପୁର(ଏଟିଆର ବ୍ୟୁରୋ):ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗୋଟିଏ ପଟେ ଗଞ୍ଜାମ ଜିଲ୍ଲାରେ ସୁରଟ ଫେରନ୍ତା ଚିନ୍ତା ବଢାଇଥିବା ବେଳେ ଯାଜପୁର ଜିଲ୍ଲାରେ ପଶ୍ଚିବଙ୍ଗ ଜିଲ୍ଲା ଫେରନ୍ତା କରୋନା ଭାଇରସରେ ଆକ୍ରାନ୍ତ ହେଉଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାରେ ୨ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରସୁଲପୁର ବ୍ଲକର ୩ଟି ପଞ୍ଚାୟତର ୧୩ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ଏହି ୧୩ଟି ଗାଁ କଣ୍ଟେନମେଣ୍ଟ ଜୋନ୍ ଭାବେ ରହିବ ।
ସୂଚନା ଯୋଗ୍ୟ ଯାଜପୁରରେ ବର୍ତ୍ତମାନ ସୁଦ୍ଧା ୫୫ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ ୧୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୧ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୧୧୭ଟି ଆକ୍ଟିଭ କେସ୍ ଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି ।