ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ମାତିଛନ୍ତି ହାତୀ ପଲ । ଗୋଟିଏ କି’ ଦୁଇଟି ନୁହେଁ ପାଖାପାଖି ୧୨ଟି ହାତୀ ପୂରା ଆତଙ୍କ ରଚାଇଛନ୍ତି । କେଉଁଠି ବିଲରେ ପଶି ଫସିଲ ନଷ୍ଟ କଲେଣି ତ’ ଆଉ କେଉଁଠି ରାଜରାସ୍ତାକୁୁ ଉଠି ଲୋକଙ୍କୁ ଭୟଭିତ କଲେଣି । ଏ କଥା ନୁହେଁ ଯେ, ଏନେଇ ବନବିଭାଗ କିଛି ଜାଣିନି ବରଂ ହାତୀପଲକୁ ଘଉଡାଇବାକୁ ବିଭାଗ ଏକ ପ୍ରକାର ଫେଲ ମାରିଛି ।
ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଥିବା ବେଳେ ଖାସ କରି ବିରକ୍ତି ପ୍ରକାଶ କରିଛନ୍ତି ଚାଷୀ । ହାତୀପଲଙ୍କ ଅଚାନକ ଏଭଳି ଆତଙ୍କ ଏବେ ଅନେକ ଫସଲ ନଷ୍ଟ କଲାଣି । ହାତୀପଲଙ୍କ ଏଭଳି ଉତ୍ପାତ ଦେଖିବାକୁ ମିଳିଛି ବ୍ରହ୍ମପୁର ଅଞ୍ଚଳରେ । ରିପୋର୍ଟ ଅନୁସାରେ, ଗତ ୭ଦିନ ହେଲାଣି ଏଣେ ତେଣେ ଟହଲ ମାରୁଛନ୍ତି ହାତୀପଲ । ରାସ୍ତା ଉପରେ ଚକ୍କର ମାରୁଛନ୍ତି । ଖାସ କରି କୁକୁଡାଖଣ୍ଡି ବ୍ଲକର ଡେଙ୍ଗାପଦର, ବାଉଁସିଆପଲି, ନାରାୟଣପୁର, ବାଲିପଡା ଓ ଲାଞ୍ଜିଆ ଆଦି ଗାଁରେ ଏହି ହାତୀପଲ ବୁଲୁଥିଲେ । ତେବେ ଶନିବାର ସକାଳେ କିନ୍ତୁ ବ୍ରହ୍ମପୁର-ଦିଗପହଣ୍ଡି ଜାତୀୟ ରାଜପଥ ଉପରେ ଏମାନଙ୍କ ରାଜ ଦେଖିବାକୁ ମିଳିଥିଲା ।
ଲୋକଙ୍କ ସୂଚନାନୁସାରେ, ୧୨ଟି ହାତୀଙ୍କ ମଧ୍ୟରେ ୫ଟି ମାଈ, ୬ଟି ଛୁଆ ଓ ଏକ ଦନ୍ତା ହାତୀ ରହିଛି । ତେବେ ରାଜପଥ ଉପରେ ହଠାତ ହାତୀପଲଙ୍କୁ ଦେଖି ଲୋକେ ଛାନିଆ ହୋଇଯାଇଥିଲେ । କିଛି ସମୟ ଗାଡି ମୋଟର ମଧ୍ୟ ଅଟକି ଯାଇଥିଲା । ଭୟଭିତ ହୋଇପଡିଥିଲେ ପୂରା ଅଞ୍ଚଳବାସୀ । ତେବେ ହାତୀପଲଙ୍କୁ ଘଉଡାଇବା ଲାଗି ଲୋକେ ବାଧ ହୋଇ ବାଣ ଫୁଟାଇବା ସହ ବାଜା ବଜାଇ ପାଟିତୁଣ୍ଡ କରିଥିବା ଦେଖିବାକୁ ମିଳିଥିଲା । ସେପଟେ ସପ୍ତାହେ ହେଲା ହାତୀଙ୍କ ତାଣ୍ଡବରେ କ୍ଷତିଗସ୍ତ ହୋଇଥିବା ଚାଷୀମାନେ ଏବେ ସରକାରୀ ସହାୟତା ଲାଗି ଦାବି କରିଛନ୍ତି । ସିଧାସଳଖ ବନବିଭାଗକୁ ଟାର୍ଗେଟ କରି ନିଜ ହକ ପାଇବା ଜରୁରୀ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ଚାଷୀ ।