ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପାକିସ୍ତାନ ଓ ଆଫଗାନସ୍ତାନ ଆଡୁ ଭାରତକୁ ମାଡି ଆସୁଛି ଏକ ଭୟଙ୍କର ଧୂଳି ଝଡ । ସାରା ଭାରତ ଏବେ ସୂର୍ଯ୍ୟଙ୍କ ପ୍ରଚଣ୍ଡ ତାପରେ ଭାଜି ହେଉଥିବା ବେଳେ ଅନ୍ୟପଟେ ପାକିସ୍ତାନ ଆଡୁ ଭାରତ ଆଡକୁ ମାଡି ଆସୁଥିବା ଭୟଙ୍କର ଧୂଳି ଝଡ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି । ଯାହାକୁ ନେଇ ଉତ୍ତର ଭାରତରେ ହାଇ ଆର୍ଲଟ ଜାରି ହୋଇଛି । ପାକିସ୍ତାନ ଆଡୁ ମାଡି ଆସୁଥିବା ଏହି ଧୂଳି ଝଡ ଭାରତରେ ପ୍ରବେଶ କଲେ ଏହାର ପ୍ରଭାବରେ ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ବହୁତ ଅସୁବିଧା ହୋଇପାରେ ।
ପାଣିପାଗ ବିଭାଗ ଏବଂ ଏୟାର କ୍ୱାଲିଟି ଏବଂ କେନ୍ଦ୍ର ସରକାରଙ୍କର ସଫର ଇଣ୍ଡିଆର ରିପୋର୍ଟ ଅନୁସାରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଝିରେ ସୃଷ୍ଟି ହୋଇଥିବା ଏକ ଭୟଙ୍କର ଧୂଳିଝଡ ଦିଲ୍ଲୀ – ଏନସିଆର ସହିତ ପୁରା ଉତ୍ତର ଭାରତକୁ ପ୍ରଭାବିତ କରିବ । ମଙ୍ଗଳବାର ଏନେଇ ଦିଆଯାଇଥିବା ହାଇ ଆର୍ଲଟର ସୂଚନା ପରେ କେନ୍ଦ୍ର ପ୍ରଦୂଷଣ ବୋର୍ଡ ବାୟୁମଣ୍ଡଳ ଉପରେ ତୀକ୍ଷ୍ମ ନଜର ରଖିଛି ।
ସୂଚନାଯୋଗ୍ୟ ଏହି ଧୂଳି ଝଡ ରାଜସ୍ଥାନ ଦେଇ ଭାରତକୁ ପ୍ରବେଶ କରିବ । ଯାହାଫଳରେ ପରିସ୍ଥିତି ଅଧିକ ଗମ୍ଭୀର ହେବା ଆଶଙ୍କା କରାଯାଉଛି । ଏହାର ପ୍ରଭାବ ଅଧିକ ରାଜଧାନୀ ଦିଲ୍ଲୀରେ ପଡିବ ବୋଲି ବିଶେଷଜ୍ଞ ମାନେ ମତ ରଖିଛନ୍ତି । ଏହାର ପ୍ରଭାବରେ ସ୍ୱାସ ଜନିତ ସମସ୍ୟା ଭୋଗୁଥିବା ଲୋକେ ବହୁତ ପ୍ରଭାବିତ ହେବେ ।