କର୍ଣ୍ଣାଟକ (ଏଟିଆର ବ୍ୟୁରୋ ) ; ଶେଷରେ ଗିରଫ ହେଲେ ଖଣି ସମ୍ରାଟ । ବେଲ୍ଲାରୀର ଖଣି ସମ୍ରାଟ ଭାବେ ଜଣାଶୁଣା ତଥା କର୍ଣ୍ଣାଟକର ପୂର୍ବତନ ବିଜେପି ମନ୍ତ୍ରୀ ଗାଲି ଜନାର୍ଦ୍ଦନ ରେଡ୍ଡୀଙ୍କୁ ଆଜି ଗିରଫ କରାଯାଇଛି । ଚିଟଫଣ୍ଡ ଠକେଇ ସମ୍ପର୍କିତ ଲାଞ୍ଚ ମାମଲାରେ ତାଙ୍କୁ କେନ୍ଦ୍ରୀୟ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଗିରଫ କରାଯାଇଛି । ବେଆଇନ ଅର୍ଥ କାରବାର ଓ ଠକେଇ ଅଭିଯୋଗରେ ସମସ୍ତ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଅଧାରରେ ପୋଲିସ ତାଙ୍କୁ ପ୍ରଥମେ ପଚରା ଉଚରା କରିଥିଲା । ଏହାପରେ ତାଙ୍କୁ ଏକ ଲାଞ୍ଚ ମାମଲାରେ ଗିରଫ କରାଯାଇଥିବା କେନ୍ଦ୍ରୀୟ କ୍ରାଇମବ୍ରାଞ୍ଚର ଅତିରିକ୍ତ କମିଶନର ଆଲୋକ କୁମାର କହିଛନ୍ତି ।
ତେବେ ତାଙ୍କୁ ଆଜି ମାଜିଷ୍ଟେଟଙ୍କ ନିକଟରେ ହାଜର କରାଯିବା ନେଇ ସୂଚନା ମିଳିଛି । ଜନାର୍ଦ୍ଦନଙ୍କ ଠାରୁ ସମସ୍ତ ଟଙ୍କା ଆଦାୟ କରାଯିବ ଓ ଚିଟଫଣ୍ଡରେ ନିବେଶ କରିଥିବା ବ୍ୟକ୍ତି ମାନଙ୍କୁ ପ୍ରଦାନ କରାଯିବ ବୋଲି ଆଲୋକ କୁମାର କହିଛନ୍ତି । ଅନ୍ୟପଟେ ଜନାର୍ଦ୍ଦନଙ୍କ ବିରୋଧରେ ହୋଇଥିବା ମାମଲାକୁ ସେ ସ୍ୱିକାର କରିନାହାନ୍ତି । ତାଙ୍କ ବିରୋଧରେ ରାଜନୈତିକ ଷଡଯନ୍ତ୍ର କରାଯାଇଥିବାର ସେ କହିଛନ୍ତି । ସୂଚନା ଯୋଗ୍ୟ , ଜନାର୍ଦ୍ଦନଙ୍କ ପ୍ରମୂଖ ସହଯୋଗୀ ଅଲ୍ଲୀ ଖାନଙ୍କୁ ମଧ୍ୟ ଗିରଫ କରାଯାଇଛି । ଅଲ୍ଲୀ ଙ୍କ ନାମରେ ପୂର୍ବରୁ ଏକାଧିକ ଦୁର୍ନୀତି ଓ ଠକେଇ ଅଭିଯୋଗ ରହିଥିବା କାରଣରୁ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡ ମଧ୍ୟ ମିଳିସାରିଥିବା ଜଣାପଡିଛି ।