ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବାତ୍ୟା ଫୋନି ଓଡିଶାକୁ ବେହାଲ କରିଦେଇଥିବା ବେଳେ ଏବେ ଖରା ସାଜିଛି ଦାଉ । ଯାହାକୁ ନେଇ ସମଗ୍ର ଓଡିଶା ଚିନ୍ତିତ । ଖରାର ପ୍ରକୋପ ଏତେ ଅଧିକ ରହୁଛି ଯେ ଦିନ ୧୧ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଘରୁ ବାହାରକୁ ପାଦ କାଢିବା ମୁସ୍କିଲ ହୋଇପଡୁଛି । ଖାଲି ପଶ୍ଚିମ ଓଡିଶା ନୁହେଁ ଉପକୂଳ ଓଡିଶାରେ ମଧ୍ୟ ସୂର୍ଯ୍ୟଦେବ ତାଙ୍କର ଉଗ୍ରରୂପ ଦେଖାଉଛନ୍ତି ।
ଆଜି ବଲାଙ୍ଗୀର ଟିଟିଲାଗଡ ସବୁଠାରୁ ଅଧିକ ତାତିଛି । ଟିଟିଲାଗଡରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଥିବା ରେକର୍ଡ କରାଯାଇଛି । ସେହିଭଳି ଆଜି ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଖରାକୁ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଆଜିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଖରା ସମାନ୍ୟ କମିପାରେ ମାତ୍ର ଆସନ୍ତା ୨୩ ତାରଖରୁ ୨୭ ତାରିଖ ପର୍ଯ୍ୟନ୍ତ ଖରାର ତାପମାତ୍ରା ବଢିବ ।
ଯାହାଫଳରେ ପଶ୍ଚିମ ଓଡିଶାରେ ଖରାର ତାତି ଅସହ୍ୟ ହେବ । ସେହଭଳି ଭୁବନେଶ୍ୱରରେ ୨୩ ରୁ ୨୭ ତାରିଖରେ ତାପମାତ୍ରା ୪୩ ଡିଗ୍ରୀ ଟପିବ ବୋଲି ଆଶଙ୍କା କରାଯାଉଛି । ପଶ୍ଛିମ ଓଡିଶାରେ ତାତି ୪୬ ଡିଗ୍ରୀ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ ବିଭାଗ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଉପକୂଳ ଓଡିଶା ସମେତ ସାରା ଏହି ତିନି ଦିନ ରାଜ୍ୟରେ ତାତି ବଢିବା ସହିତ ଉତ୍ତର ପଶ୍ଚିମ ଦିଗରୁ ଝାଞ୍ଜି ପବନ ବହିବା ଆଶଙ୍କା କରାଯାଉଛି ।