ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସଫା କରି ଶୀତ ବସ୍ତ୍ର ଅଥବା ଜ୍ୟାକେଟ ଏବଂ ସ୍ୱେଟର ସବୁକୁ ଆଲମାରିରେ ରଖାଯାଇଥିଲା । ଶୀତର ପ୍ରଭାବ କମି ଯାଇଥିବାରୁ ଏସବୁକୁ ଜନ ସାଧାରଣ ରଖି ଦେଇଥିଲେ । ମୁଖ୍ୟତଃ ଭୁବନେଶ୍ୱର ଏବଂ କଟକରେ ଅଧିକାଂଶ ଲୋକ ଶୀତ ବସ୍ତ୍ର ବ୍ୟବହାର କମାଇ ଦେଇଥିଲେ । କିନ୍ତୁ ଅଜି ଭୋର ସମୟରେ ବର୍ଷା ପ୍ରଭାବରୁ ଶିତ ଆରମ୍ଭ ହୋଇ ଯାଇଛି । ଏଣୁ ଆଲମାରିରେ ସଜାଇ ଥୋଇଥିବା ଶିତବସ୍ତ୍ରକୁ ପୁଣି ଥରେ କାଢ଼ିଥିବା ଦେଖିବାକୁ ମିଳିଛି । ସକାଳୁ ୧୦ଟା ହୋଇ ଯାଇଥିଲେ ମଧ୍ୟ କେହି ଶୀତ ବସ୍ତ୍ର ଦେହରୁ କାଢ଼ି ନଥିବା ଦେଖିବାକୁ ମିଳିଛି । ତେବେ ଆଜି ଦିନ ତମାମ ଏଭଳି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ଆଜି ସକାଳୁ ସକାଳୁ ଭୁବନେଶ୍ୱର ଏବଂ କଟକ ଟୁଇନ ସିଟିରେ ଦେଖିବାକୁ ମିଳିଛି ବର୍ଷାର ପ୍ରଭାବ । ଯାହାଦ୍ୱାରା ଜନ ସାଧାରଣ ବହୁ ଅସୁବିଧାର ସମୁଖୀନ ହୋଇଛନ୍ତି । ଏପରିକି ଭୋର ସମୟରୁ ବର୍ଷା ଲାଗି ରହିଥିବା ବେଳେ ପ୍ରବଳ ବେଗରେ ପବନ ବହୁଛି । ତା’ସାଙ୍ଗକୁ ଘନ କୁହୁଡିର ଆସ୍ତରଣ ଟ୍ୱିନସିଟିକୁ ପୂରା ଅନ୍ଧାର କରି ରଖିଛି । ରାସ୍ତା ଠିକ୍ ଭାବରେ ଦେଖାଯାଉନଥିବାରୁ ଦୁର୍ଘଟଣା ସମ୍ଭାବନାକୁ ଦେଖି ଗାଡି ସର୍ତକତାର ଚଳାଇବାକୁ ପରାମର୍ଶ ଦିଆଯାଇଛି । ତେବେ ହଠାତ୍ ଏଭଳି ପାଗ ପରିବର୍ତ୍ତନ ଯୋଗୁଁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଜମ୍ମୁ-କାଶ୍ମୀରରୁ ଆସାମ ଯାଏ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଏହି ବର୍ଷା ହୋଇଛି। ଏହାର ପ୍ରଭାବରେ ଆଜି କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଉ କିଛି ସ୍ଥାନରେ ବର୍ଷା ହୋଇପାରେ। ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ ଓ ଦେବଗଡ଼ରେ କୁଆପଥର ମାଡ଼ ସହିତ ବର୍ଷା ହୋଇପାରେ।
ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହୋଇଛି । ଏହା ସହ ବିଭିନ୍ନ ସ୍ଥାନରେ କୋହଲା ପାଗ ଓ ପବନ ଅନୁଭୂତ ହେଉଛି । ଭୋର ସମୟରୁ ବର୍ଷା ହୋଇଥିବା ବେଳେ କିଛି ସ୍ଥାନରେ ପବନ ବୋହିଥିଲା । ସମ୍ବଲପୁର, ଯାଜପୁର, ଅନୁଗୁଳ ଓ କେନ୍ଦ୍ରାପଡ଼ାରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଦୁଇ ଦିନ ପର୍ୟ୍ୟନ୍ତ ଏପରି ବର୍ଷା ହୋଇପାରେ । ଅଦିନିଆ ବର୍ଷା ଯୋଗୁ ତାପାମାତ୍ର କମ୍ ରହିଛି । ୧୮ ତାରିଖ ପରେ ରାଜ୍ୟରେ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି ।