ଭୁବନେଶ୍ୱର (ଏଟିଆର ବ୍ୟୁରୋ): କାଲିଠୁ ପୁଣି ଛେଚିପାରେ ମୌସୁମୀ ବର୍ଷା । ଦୁଇ ଦିନ ଧରି ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାପରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ପୂର୍ବରୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲମାର୍କ ଲୋ ପ୍ରେସରର ରୂପ ନେଇଥିଲା । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଥିଲା । ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅତିପ୍ରବଳ ବର୍ଷା ହୋଇଥିବା ବେଳେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଝିପିଝିପି ବର୍ଷା ଲାଗି ରହିଥିଲା । ଏହା ସହ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୮ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଥିଲା ।
ସେହିପରି ୧୫ଟି ଜିଲ୍ଲାକୁ ମଧ୍ୟ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିଲା । ଏହାସହ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସଜୀବୀମାନଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଥିଲା । ଏଥିପାଇଁ ବର୍ଷା ଜନିତ ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।