ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଶନିବାରଠାରୁ ଆସିବ କାଳ ବୈଶାଖୀ । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ଏଭଳି ପାଗ । ବଜ୍ରପାତର ବି ଆଶଙ୍କା ରହିଛି। ରାଜ୍ୟର ସମସ୍ତ ଜିଲ୍ଲାରେ କାଳବୈଶାଖୀ ଓ ବର୍ଷାର ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ। ସବୁ ସ୍ଥାନରେ ପାଗ କୋହଲା ରହିବ। ଘଡ଼ଘଡ଼ି ହେବାକୁ ଥିବାରୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ୧୦ ତାରିଖ ସକାଳ ପର୍ଯ୍ୟନ୍ତ ଓଡ଼ିଶା ଉପରେ କାଳବୈଶାଖୀ ପ୍ରଭାବ ରହିବ। ଶନିବାର କେତେକ ସ୍ଥାନରେ ତାପମାତ୍ରା ସାମାନ୍ୟ ବଢ଼ିବ। ତେବେ ଅପରାହ୍ଣଠାରୁ ପାଗ ବଦଳିବ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାରେ ଘଡ଼ଘଡ଼ି ସହ କାଳବୈଶାଖୀ ହୋଇପାରେ। ଏହି ସମୟରେ ବାଲେଶ୍ୱର, ଜଗତ୍ସିଂହପୁର, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, କେନ୍ଦୁଝର, ଢେଙ୍କାନାଳ, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, ନୟାଗଡ଼, ଖୋର୍ଧା, ବୌଦ୍ଧ, ପୁରୀ ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ ହେବାର ଆଶଙ୍କା ରହିଛି। ୯ ତାରିଖ ରାତି ପର୍ୟ୍ୟନ୍ତ ଏଭଳି ପରିସ୍ଥିତି ଉପୁଜିବ। ଏହାପରେ ପାଗରେ ପରିବର୍ତନ ଆସିବ। ତାପମାତ୍ରା ପୁଣିଥରେ ବଢ଼ିବ ବୋଲି କୁହାଯାଇଛି। ଶନିବାର ଭୁବନେଶ୍ୱର ତାପମାତ୍ରା ୪୦ ଡିଗ୍ରି ଛୁଇଁବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା .୫ରୁ ଏକ ଡିଗ୍ରି ବଢ଼ିବ। କିନ୍ତୁ ରବିବାରଠାରୁ ପାଗରେ ପରିବର୍ତନ ହେବ।