ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଲୁଚକାଳି ଖେଳୁଛି ବର୍ଷା । ଦୁଇଦିନ ବର୍ଷା ହେଉଛି ଆଉ ଦୁଇଦିନ ଲୁଚିଯାଉଛି । ଦିନେ ଶୁଖିଲାକୁ ଦୁଇଦିନ ଓଦା । ଏଭଳି ପାଗ ଏବେ ସାରା ରାଜ୍ୟରେ ଅନୂଭୁତ ହେଉଛି । ଆଜି ସକାଳୁ ପାଗ ଟିକେ ଶୁଖିଲା ରହିଛି । ଏବଂ ଖରାର ପ୍ରକୋକ ମଧ୍ୟ ଅନୁଭବ ହେଉଛି । ଧାରା ଶ୍ରାବଣ ମାସରେ ଏଭଳି ଖରା ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି । ତେବେ ଆସନ୍ତା ୨ ତାରିଖରୁ ପୁଣିଥରେ ବର୍ଷା ଫେରୁଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବର୍ଷା ଲୁଚକାଳି ପାଇଁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି । ଚଳିତ ବର୍ଷା ସ୍ୱଳ୍ପ ହୋଇଛି । ଯଦିଓ କେତେକ ସ୍ଥାନରେ ବାତ୍ୟା ପରିସ୍ଥିତି ଉପୁଜିଛି ତଥାପି ସ୍ୱାଭାବିକ ବର୍ଷା ଅନୁପାତରେ କମ ରହିଛି । ଶ୍ରାବଣ ମାସ ଆରମ୍ଭରୁ ପ୍ରବଳ ବର୍ଷା ହେବା କଥା କିନ୍ତୁ ଚଳିତ ବର୍ଷ ଖରା ହୋଇଥିଲା । ଯାହାକି ସମସ୍ତଙ୍କ ବହୁତ କଷ୍ଟ ଦେଇଥିଲା । ତେବେ ପୁଣିଥରେ ବର୍ଷା ହେବା କଥା ଶୁଣିବା ପରେ ଚାଷୀକୂଳ ହସି ଉଠିଛି ।
ଅଗଷ୍ଟ ୪ରେ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ପୁଣି ଏକ ଲଘୁଚାପ । ପ୍ରଭାବରେ ୨ ତାରିଖଠାରୁ ଓଡ଼ିଶାରେ ବର୍ଷା ବଢ଼ିବ । ୪ ଦିନ ଧରି ସାରା ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଗଷ୍ଟ ୩ ଓ ୪ ତାରିଖ ପାଇଁ ଆଜିଠାରୁ ଅରେଞ୍ଜ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବିଭାଗ ପକ୍ଷରୁ କୁହାଯାଇଛି ଯେ, ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦୁର୍ବଳ ରହିଲା ।
ଓଡ଼ିଶା ଓ ଏହା ସଂଲଗ୍ନ ଛତିଶଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଉପରେ ଅଧିକ ରହିବ। କୋରାପୁଟ, କଳାହାଣ୍ଡି, ମାଲକାନଗିରି, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ବରଗଡ଼ର କେତେକ ସ୍ଥାନରେ ୨ ତାରିଖଠାରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ।
ଅଗଷ୍ଟ ୧ରେ କେନ୍ଦ୍ରୀୟ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ହୋଇପାରେ । ଆସନ୍ତା ୨୪ ଘଣ୍ଟା ପର୍ୟ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ବାରଣ କରାଯାଇଛି ବୋଲି ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍ ଆର ବିଶ୍ବାସ କହିଛନ୍ତି । ଗତ ୧୨ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ୧୦ ମିମି ବର୍ଷା ହୋଇଛି । ବାଲେଶ୍ବର, ଚାନ୍ଦବାଲି, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ହୀରାକୁଦ, ଭବାନୀପାଟଣା, ବଲାଙ୍ଗୀର, କୋରାପୁଟ ଓ ମାଲକାନଗିରିରେ ସ୍ପଳ୍ପ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।