କେନ୍ଦୁଝର ( ଏଟିଆର ବ୍ୟୁରୋ): ପିତା ଧର୍ମ ପିତା ସ୍ୱର୍ଗ, ପିତା ହିଁ ପରମ ତପ । ପିତରି ପ୍ରିତିମା ପର୍ଣ୍ଣେ ପ୍ରିୟନ୍ତି ଶର୍ବ ଦେବତା । ଏହି ଶ୍ଳୋକଟି ଉଚ୍ଚାରଣ କଲେ ଆମ ସମସ୍ତଙ୍କ ଆଖି ଆଗକୁ ଚାଲି ଆସନ୍ତି ଆମକୁ ଜନ୍ମ ଦେଇଥିବା ବାପା ଓ ମା । ଯିଏ ଆମକୁ ଏ ଦୁନିଆର ଆଲୋକ ଦେଖାଇଥିଲେ ଆଉ ସମାଜରେ ବାଟ ଚାଲିବାକୁ ରାସ୍ତା ଦେଖାଇଥିଲେ । ଆମ ହଜାରେ ଭୁଲକୁ ମୁଣ୍ଡପାତି ସହି ନେଇଥିଲେ । ସେଥିପାଇଁ ବାପା ମାଙ୍କ ପ୍ରତି ଆମର ସବୁବେଳେ ରହିଥାଏ ସମ୍ମାନ । କିନ୍ତୁ କେନ୍ଦୁଝର ଜିଲ୍ଲାରେ ଏମିତି ଏକ ଘଟଣା ଘଟିଛି ଯାହା ବାପା ପୁଅ ସମ୍ପର୍କର ସଜ୍ଞା ବଦଳାଇ ଦେଇଛି ।
ସମାନ୍ୟ କେଇଟା ଘରଭଡା ଟଙ୍କାକୁ ନେଇ ବାପାଙ୍କୁ ମାଡ ମାରିଛନ୍ତି ପୁଅ ବୋହୂ । ମାଡ ଖାଇଥିବା ବୃଦ୍ଧ ବାପା ହେଉଛନ୍ତି ବଳରାମ ସାହୁ । ସୂଚନା ଅନୁସାରେ ବଳରାମଙ୍କ ତିନି ପୁଅଙ୍କ ମଧ୍ୟରେ ଘରଭଡା ପାଇଁ କଳି ଲାଗି ରହିଥିଲା । କଥା ପୂର୍ବରୁ ଥାନା ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା । ପରେ ନିଜ ନିଜ ଭିତରେ ବୁଝାମଣା ହେବା ପରେ ଘଟଣା ସମାଧାନ ହୋଇଥିଲା ।
ଆଜି ସକାଳେ ଉକ୍ତ ଘଟଣାକୁ ନେଇ ପରିବାର ଭିତରେ ପାଟିତୁଣ୍ଡ ହୋଇଥିଲା । ପାଟିତୁଣ୍ଡ ବଢିବାରୁ ବଳରାମଙ୍କ ମଝିଆ ପୁଅ ଓ ବୋହୂ ବୁଢା ବାପାକୁ ବାଡେଇଥିବା ଅଭିଯୋଗ ହୋଇଛି । ଏମିତିକି ପୁଅ ବୋହୂଙ୍କ ମାଡରେ ବୃଦ୍ଧ ବାପାଙ୍କ ମୁଣ୍ଡ ଫାଟି ଯାଇଛି । ତାଙ୍କୁ ଏବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।