ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଉଗ୍ରରୂପ ନେଉଛି ବାତ୍ୟା ‘ଫୋନି’ । ଧିରେ ଧରେ ଏହା ଓଡିଶା ମୁହାଁ ହେବାରେ ଲାଗିଛି । ଓଡିଶାଠାରୁ ଆଉ ମାତ୍ର ୫୧୦ କି.ମି ଦୂରରେ ରହିଛି । ଘଣ୍ଟାକୁ ଏହା ୭ କିମି ବେଗରେ ଓଡିଶା ମୁହାଁ ହେଉଛି । ଆସନ୍ତାକାଲି ଅପରହ୍ନରେ ଏହା ଗୋପାଳପୁର ଚାନ୍ଦବାଲି ମଧ୍ୟରେ ସ୍ଥଳଭାଗ ଛୁଇଁବ । ତେବେ ଏହା କେଉଁଠାରେ ଲ୍ୟାଣ୍ଡଫଲ କରିବ ଆଜି ସଂନ୍ଧ୍ୟାରେ ଜଣାପଡିବ । ଫୋନିର ପ୍ରଭାବ ଜଗତସିଂହପୁର ଏବଂ ପୁରୀ ଉପରେ ଅଧିକ ପ୍ରଭାବ ପଡିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପୁରୀ ଏବଂ ଜଗତସିଂହପୁରରେ ଏହାର ପ୍ରଭାବ ଅଧିକ ପଡିବାକୁ ଥିବାରୁ ପ୍ରଶାସନ ପକ୍ଷରୁ ଏହି ଦୁଇ ଜିଲ୍ଲାରେ ମୁକାବିଲା ପାଇଁ କରାଯାଇଛି ବ୍ୟାପକ ବ୍ୟବସ୍ଥା । ତେବେ ମୁଖ୍ୟତଃ ଏହି ଦୁଇ ଜିଲ୍ଲାରୁ ଲୋକଙ୍କୁ ସ୍ଥାନାନ୍ତରିତ କରି ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ପୁରୀ ଜିଲ୍ଲାରୁ ୧ଲକ୍ଷ ୪ହଜାର ଏବଂ ଜଗତସିଂହପୁରରୁ ୮୦ଜହାର ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ । ଗତକାଲି ଜଗତସିଂହପୁର ଜିଲ୍ଲା ଦାୟିତ୍ବରେ ଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ଶାଶ୍ବତ ମିଶ୍ର ଜଗତସିଂହପୁରରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ ସହ ସ୍ଥିତି ବାବଦରେ ଆଲୋଚନା କରିଛନ୍ତି ।
ସେପଟେ ଆଜି ପୁରୀରେ ଦିନ ୧୨ଟାରୁ ଆରମ୍ଭ ହେବ ସ୍ଥାନାନ୍ତର ପ୍ରକ୍ରିୟା । ପ୍ରଥମେ ଚିଲିକା ଓ ସମୁଦ୍ର କୂଳ ଅଞ୍ଚଳରୁ ସ୍ଥାନାନ୍ତର କରାଯିବ । ବିଦ୍ୟୁତ ସରବରାହ ଓ ଜଳ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସମସ୍ତ ପଦକ୍ଷେପ ନିଆଯାଇଛି । ସାଧାରଣ ଲୋକ ୪ ଦିନ ପାଇଁ ପାନୀୟ ଜଳ ସାଇତି ରଖିବା ପାଇଁ ନିବେଦନ କରିଛନ୍ତି ବରିଷ୍ଠ ପ୍ରଶାସକ ସୁରେଶ ମହାପାତ୍ର । ଗତକାଲି ପୁରୀରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।