ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ସମଗ୍ର ରାଜ୍ୟରେ ପାଗ କୋହଲା ରହିବା ସହ ସ୍ଥାନେ ସ୍ଥାନେ ବର୍ଷା ହେଉଥିବାର ଦେଖିବାକୁ ମିଳୁଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ରାଜ୍ୟର ୧୦ଟି ଜିଲ୍ଲାରେ ସ୍ୱଳ୍ପ ଧରଣର ବର୍ଷା ହେବା ସହ ଘଡଘଡି ମାରିପାରେ । ତେବେ ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ସମସ୍ତ ପରିସ୍ଥିତିକୁ ଦୃଷ୍ଟି ଆଗରେ ରଖି ଆସନ୍ତା ୫ଦିନ ପାଇଁ ଅଧିକାଶଂ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷକରି ଉପକୂଳ ଓଡିଶାରେ ଅଧିକ ଘଡଘଡି, ବଜ୍ରପାତ ଓ ହାଲୁକା ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କତା ଅବଲମ୍ଭନ କରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।
ତେବେ ଆଜି ଦିନ ୮ଟା ୧୫ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ବାଲେଶ୍ୱର, ମୟୂରଭଞ୍ଜ, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି। ଅପରାହ୍ନଠାରୁ ୫ ତାରିଖ ସକାଳ ପର୍ୟ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ ସମେତ ବାଲେଶ୍ବର, କନ୍ଧମାଳ, ରାୟଗଡ଼ା, ବୌଦ୍ଧ, ସୁନ୍ଦରଗଡ଼, କଳାହାଣ୍ଡି, ଢେଙ୍କାନାଳ ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୫ ତାରିଖ ମଧ୍ୟାହ୍ନଠାରୁ ୬ ତାରିଖ ସକାଳ ସୁଦ୍ଧା ବର୍ଷା ପରିମାଣ ବଢ଼ିବା ସହ ପବନ ବି ବହିବ । କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଟକ, ଯାଜପୁର, ଭଦ୍ରକ ଜିଲ୍ଲାରେ କେତେକ ସ୍ଥାନରେ ଝଡ଼ବର୍ଷା ହେବ । ବଜ୍ରପାତ ସହ ସ୍ଥାନେ ସ୍ଥାନେ ୩୦ରୁ ୪୦ କିମି ବେଗରେ ପବନ ବହିବ ।