ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବୁଧବାରଠାରୁ ଫେରିଛି ବର୍ଷା । ତେବେ ଏହି ବର୍ଷା ଆହୁରି ଦୁଇ ଦିନ ଯାଏ ଭିଜେଇବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଯଦିଓ ରାଜ୍ୟର ସବୁ ଜିଲ୍ଲାରେ ବର୍ଷା ହେଉନାହିଁ ତେବେ ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅନୁଭୁତ ହେଉଛି । ପ୍ରବଳ ବର୍ଷା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଚଳିତ ବର୍ଷା ସ୍ୱାଭାବିକଠାରୁ କମ ହୋଇଛି ।
ଉତ୍ତର ବଙ୍ଗୋପସାଗର ତଥା ପଶ୍ଚିମବଙ୍ଗ ଉପକୂଳରେ ଦାନା ବାନ୍ଧୁଛି ଲଘୁଚାପ । ଶୁକ୍ରବାର ଏହାର ଚିତ୍ର ସ୍ପଷ୍ଟ ହେବାର ଥିବା ବେଳେ ଗତକାଲିଠାରୁ ଓଡ଼ିଶାରେ ସକ୍ରିୟ ହୋଇଛି ମୌସୁମୀ। ଯାହା ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି । ଉତ୍ତର ଓ ଉପକୂଳ ଓଡ଼ିଶାରେ ୩୬ ଘଣ୍ଟା ହେଲା ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।
ରାଜଧାନୀରେ ଲଗାଣ ବର୍ଷା ପାଇଁ କେତେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିଛି । ଘରକୁ ଯିବା ପାଇଁ ହେଲେ ଆଣ୍ଠୁଏ ପାଣି ଦେଇ ଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଆଚାର୍ଯ୍ୟ ବିହାର ପାଖରେ ଡ୍ରେନ ପାଣି ଘରେ ପଶୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ବମିଖାଲ୍, ଭିଏସ୍ଏସ୍ ନଗର, ବରମଣ୍ଡା ଓ ରସୁଲଗଡ଼ରେ ରାସ୍ତା ଉପରେ ପାଣି ଜମି ରହିଛି। ସହରର ତଳିଆ ଅଞ୍ଚଳରେ ଘରେ ପାଣି ପଶିଯିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।