ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ଏବେ ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିର ଏବେ ବିଭିନ୍ନ ରାଜ୍ୟରେ ଧର୍ମପୀଠ ଏବଂ ମନ୍ଦିର ଖୋଲାଯାଇଛି । ସେହିଅନୁଯାୟୀ ଜମ୍ମୁ-କାଶ୍ମୀରର ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିର ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଯାଇଛି । ଏଣିକି ନିୟମିତ ଦର୍ଶନ କରୁଥିବା ଭକ୍ତଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି । ଜମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ କୁହାଯାଇଛି କି ନଭେମ୍ବର ୧ରୁ ପ୍ରତିଦିନ ୧୫ ହଜାର ଭକ୍ତଙ୍କୁ ମାତା ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବାର ଅନୁମତି ମିଳିବ ।
ପୂର୍ବରୁ ନିୟମିତ ଅଧିକାଂଶ ୭ ହଜାର ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ରହିଥିଲା । ଏବେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି କରାଯାଇ ୧୫ ହଜାର କରାଯାଇଛି ।
ତ୍ରିକୁଟା ପର୍ବତ ଉପରେ ଅବସ୍ଥିତ ମାତା ବୈଷ୍ଣେ ଦବୀଙ୍କ ମନ୍ଦିର କୋଭିଡ ପାଇଁ ଦୀର୍ଘ ୫ ମାସ କାଳ ବନ୍ଦ ରହିବା ପରେ ଅଗଷ୍ଟ ୧୬ ରେ ଖୋଲିଥିଲେ । କୋଭିଡ ସ୍ଥିତିକୁ ଦେଖି ଅଳ୍ପ ସଂଖ୍ୟକ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ରହିଥିଲା । ମାତ୍ର ଏବେ କୋଭିଡ ସଂକ୍ରମଣ ହ୍ରାସ ପାଇବାରୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି ।
ସେହିପରି ନବରାତ୍ରୀ ସମୟରେ ମାତା ବୈଷ୍ଣୋ ଦେବୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ମାତାଙ୍କ ଦର୍ଶନ ପାଇଁ ଏକ ଆପ୍ ମଧ୍ୟ ଲଞ୍ଚ କରାଯାଇଥିଲା । ଆପ୍ ମାଧ୍ୟମରେ ମାତାଙ୍କୁ ଦର୍ଶନ କରି ପାରୁଥିଲେ ଭକ୍ତ ।