ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଚୈତ୍ର ନବରାତ୍ରିର ପଞ୍ଚମ ଦିନ । ଏହି ଦିନ ମା’ ଦୁର୍ଗାଙ୍କ ପଞ୍ଚମ ସ୍ୱରୂପ ‘ସ୍କନ୍ଦମାତା’ ଙ୍କୁ ପୂଜା କରିବାର ବିଧି ରହିଛି । ଶୈଳପୁତ୍ରୀ ବ୍ରହ୍ମଚାରୀ ହୋଇ ତପସ୍ୟା କରିବା ପରେ ଭଗବାନ ଶିବଙ୍କୁ ତପସ୍ୟା କରିଥିଲେ । ଏହାପରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲେ । ଯାହାଙ୍କ ନାମ ରହିଥିଲା ସ୍କନ୍ଦ । ସେ ଭଗବାନ ସ୍କନ୍ଦ କୁମାର କାର୍ତ୍ତିକେୟ ନାମରେ ପରିଚିତ । ସ୍କନ୍ଦ ର ଅର୍ଥ ଶିବ ପାର୍ବତୀଙ୍କ ପୁତ୍ର କାର୍ତ୍ତିକେୟ ଅର୍ଥାତ ସ୍କନ୍ଦ କୁମାରଙ୍କ ମାତା ହେଉଛନ୍ତି ସ୍କନ୍ଦମାତା । ସ୍କନ୍ଦମାତାଙ୍କ କୃପାରୁ ଜ୍ଞାନ ଲାଭ ହୋଇଥାଏ ।
ଶାସ୍ତ୍ର ଅନୁଯାୟୀ, ଦେବୀ ସ୍କନ୍ଦ ମାତା ତାଙ୍କର ଚାରୋଟି ହସ୍ତ ମଧ୍ୟରୁ ଡାହାଣ ପଟର ଉପର ହସ୍ତରେ କାର୍ତ୍ତିକେୟଙ୍କୁ କୋଳେଇଛନ୍ତି । ସେହିପରି ଡାହାଣ ପଟର ତଳ ହସ୍ତରେ ପଦ୍ମ ଫୁଲ ଧାରଣ କରିଛନ୍ତି । ଅନ୍ୟପଟେ ବାମ ପଟ ଉପରେ ହସ୍ତ ଜଗତ ତାରଣ ହେତୁ ଏବଂ ତଳ ହସ୍ତରେ ପଦ୍ମ ଫୁଲ ଧାରଣ କରିଛନ୍ତି । ତାଙ୍କୁ ପଦ୍ମାସନା ଦେବୀ ଏବଂ ବିଦ୍ୟାବାହିନୀ ଦୁର୍ଗା ବୋଲି ସମ୍ବୋଧିତ କରାଯାଇଥାଏ । ସେ ସିଂହ ଉପରେ ବସି ଧରାପୃଷ୍ଠକୁ ଅବତରଣ କରିଥାନ୍ତି ।
ସ୍କନ୍ଦମାତାଙ୍କ ପୁଜାରେ ସୁଦ୍ଧ ଘିଅ ଦୀପ ଜଳାନ୍ତୁ । ଏହାସହିତ ଦେବୀଙ୍କ ଠାରେ ଧଳା କନିଅର ଫୁଲ ଚଢାନ୍ତୁ, ମୁଗ ଡାଲିରେ ତିଆରି ମିଠା ଭୋଗ ଲଗାନ୍ତୁ , ସବୁଜ ରଙ୍ଗର ଚୂଡି ଚଢାନ୍ତୁ । ବାମ ହସ୍ତରେ ସୁପାରୀ ଏବଂ ଡାହାଣ ହସ୍ତରେ ଚାରୀମୁଖୀ ରୁଦ୍ରାକ୍ଷ ମାଳା ଧରି ଦେବୀଙ୍କ ମନ୍ତ୍ର ଜପି ଆରାଧନା କରନ୍ତୁ ।
ସ୍କନ୍ଦମାତାଙ୍କ ଉପାସନା କରିବା ଦ୍ୱାରା ହିଁ ମନ୍ଦବୁଦ୍ଧି ବ୍ୟକ୍ତିଙ୍କୁ ବୁଦ୍ଧି ଏବଂ ଚେତନା ପ୍ରାପ୍ତ ହୋଇଥାଏ । ଏହାସହିତ ଦେବୀଙ୍କ କୃପାରୁ ରୋଗରୁ ମୁକ୍ତି ମିଳେ ଏବଂ ସମସ୍ତ କଷ୍ଟ ଦୂର ହୁଏ ।