ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପାଖେଇ ଆସୁଛି ଶାରଦୀୟ ନବରାତ୍ରୀ । ଆଉ ମାତ୍ର କେଇଟା ଦିନ ଗଲେ ଧରାବତରଣ କରିବେ ଦୁର୍ଗତିନାଶିନି ମା ଦୁର୍ଗା । ଏହି ଅବସରରେ ମା’ ଦୁର୍ଗାଙ୍କୁ ୯ ଦିନ ଯାକ ୯ଟି ସ୍ୱରୂପରେ ପୂଜା କରିବାର ବିଧି ରହିଛି । ତେବେ ସେହି ଅନୁଯାୟୀ ୯ ଦିନ ଯାକ ଦୁର୍ଗାଙ୍କର କେଉଁ ସ୍ୱରୂପକୁ ପୂଜା କରାଯାଏ ଏବଂ କଣ କଣ ଭୋଗ ଲଗାଯାଏ ଆସନ୍ତୁ ଜାଣିବା ।
ପ୍ରଥମ ଦିନ: ନବରାତ୍ରିର ପ୍ରଥମ ଦିନ ମା’ଙ୍କର ପ୍ରଥମ ସ୍ୱରୂପ ଶୈଳପୁତ୍ରୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଏହି ଦିନ ମା’ଙ୍କ ଚରଣରେ ସୁଦ୍ଧ ଘିଅ ଚଢାଯାଇଥାଏ । ଏଭଳି କରିବା ଦ୍ୱାରା ଆରୋଗ୍ୟ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ ।
ଦ୍ୱିତୀୟ ଦିନ: ନବରାତ୍ରିର ଦ୍ୱିତୀୟ ଦିନ ମା’ଙ୍କର ଦ୍ୱିତୀୟ ସ୍ୱରୂପ ବ୍ରହ୍ମଚାରିଣୀଙ୍କୁ ଆରାଧନା କରାଯାଇଥାଏ । ଏହିଦିନ ମା’ଙ୍କଠାରେ ଚିନି ଭୋଗ ଲାଗି କରାଯାଇଥାଏ । କୁହାଯାଏ କି ଏଭଳି କରିବା ଦ୍ୱାରା ଘରର ସମସ୍ତ ବ୍ୟକ୍ତିଙ୍କ ଆୟୁ ବୃଦ୍ଧି ହୋଇଥାଏ ।
ତୃତୀୟ ଦିନ: ଏହି ଦିନ ମା’ଙ୍କର ତୃତୀୟ ସ୍ୱରୂପ ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରାଯାଇଥାଏ । ଏହିଦିନ ମା’ଙ୍କଠାର ଖୀର ବା ଖୀରରେ ନିର୍ମିତ ଭୋଗ ଲାଗି କରାଯାଇଥାଏ । କୁହାଯାଏ କି ଏହିଦିନ ଖୀରରେ ନିର୍ମିତ ଭୋଗ ମା’ଙ୍କ ଠାରେ ଲାଗିକରି ବ୍ରାହ୍ମଣକୁ ଦାନ କରିବା ଦ୍ୱାରା ସମସ୍ତ ଦୁଃଖ ଦୂର ହୋଇଥାଏ ଏବଂ ମା ପ୍ରସନ୍ନ ହୋଇଥାନ୍ତି ।
ଚତୁର୍ଥ ଦିନ: ଏହି ଦିନ ମା’ଙ୍କର ଚତୁର୍ଥ ସ୍ୱରୂପ ଦେବୀ କୁଷ୍ମଣ୍ଡାଙ୍କୁ ଆରାଧନା କରାଯାଏ । ମା’ଙ୍କର ପୂଜା କରିବା ଦ୍ୱାରା ରୋଗରୁ ମୁକ୍ତି ମିଳିଥାଏ । ସେଥିପାଇଁ ଏହିଦିନ ମା’ଙ୍କଠାରେ ମାଲପୁଆ ଭୋଗ ଲାଗି କରାଯାଇଥାଏ । କୁହାଯାଏ କି ମା’ଙ୍କଠାରେ ଏହି ଭୋଗ ଚଢାଇ ଅନ୍ୟକୁ ପ୍ରସାଦ ରୂପେ ଦେବା ଦ୍ୱାରା ବୃଦ୍ଧି ପ୍ରଖର ହୋଇଥାଏ ।
ପଞ୍ଚମ ଦିନ: ପଞ୍ଚମ ଦିନ ଦେବୀ ସ୍କନ୍ଦମାତାଙ୍କୁ ପୂଜା କରାଯାଇଥାଏ । ତାଙ୍କ ଉପାସନା କରିବା ଦ୍ୱାରା ଭକ୍ତଙ୍କର ସମସ୍ତ ମନସ୍କାମନା ପୁରଣ ହୋଇଥାଏ । ଏହି ଦିନ ମା’ଙ୍କୁ ନୈବେଦ୍ୟ ଏବଂ କଦଳୀ ଚଢାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ।
ଷଷ୍ଠ ଦିନ: ଏହି ଦିନ ଦେବୀ କାତ୍ୟାୟନୀଙ୍କୁ ଆରାଧନା କରାଯାଇଥାଏ । ଏହାଦ୍ୱାରା ଧର୍ମ, ଅର୍ଥ, କାମ ତଥା ମୋକ୍ଷ ପ୍ରାପ୍ତି ହୋଇଥାଏ । ମା’ଙ୍କର ପ୍ରିୟ ହେଉଛି ମହୁ ତଥା ମିଠା । ସେଥିପାଇଁ ମାଙ୍କୁ ପ୍ରସନ୍ନ କରିବା ଲାଗି ଏହି ଭୋଗ ଲଗାଯାଇଥାଏ ।
ସପ୍ତମ ଦିନ: ଏହି ଦିନ କାଳରାତ୍ରିଙ୍କ ଉପାସନା କରାଯାଇଥାଏ । ଭୂତ-ପ୍ରେତଙ୍କ ଠାରୁ ମୁକ୍ତି ପାଇଁ ଦେବୀ କାଳରାତ୍ରୀଙ୍କୁ ଆରାଧନା କରିବା ଦ୍ୱାରା ସମସ୍ତ କଷ୍ଟ ଦୂର ହୋଇଥାଏ । ଏହିଦିନ ମା’ଙ୍କଠାରେ ଗୁଡ ତଥା ଲଡ୍ଡୁ ଭୋଗ ଚଢାଯାଇଥାଏ ।
ଅଷ୍ଟମ ଦିନ: ନବରାତ୍ରିର ଅଷ୍ଟମ ଦିନ ମହାଗୌରୀଙ୍କୁ ପୂଜା କରାଯାଇଥାଏ । କୁହାଯାଏ ଏହି ଦିନ ନଡିଆ ଭୋଗ ଲଗାଇବା ଦ୍ୱାରା ସୁଖ ସମୃଦ୍ଧି ଲାଭ ହୋଇଥାଏ ।
ନବମ ଦିନ: ନବମୀ ଦିନ ମା ସିଦ୍ଧଦାତ୍ରୀଙ୍କୁ ବନ୍ଦନା କରାଯାଇଥାଏ । ତାଙ୍କୁ ଜଗତ ସଂଚାଳିତ କରୁଥିବା ଦେବୀ ବୋଲି କୁହାଯାଇଥାଏ । ଏହିଦିନ ମା’ଙ୍କଠାରେ ରାଶି ଭୋଗ କରାଯାଇଥାଏ ।