ପୁରୀ (ଏଟିଆର ବ୍ୟୁରୋ); ଶ୍ରୀମନ୍ଦିର ଛାଡି ଶ୍ରୀ ଗୁଣ୍ଡିଚା ମନ୍ଦିର ଯାଇଛନ୍ତି ଶ୍ରୀଜୀଉ । ରତ୍ନ ବେଦିଛାଡି ଜନ୍ମବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଧା ମୁରତୀ । ତେବେ ବର୍ଷ ତମାମ ଭକ୍ତମାନେ ମହାପ୍ରସାଦ ଅବଢ଼ା ପାଇଥାନ୍ତି । କିନ୍ତୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଜେ କରିବା ପରେ ମହାପ୍ରଭୁଙ୍କଠାରେ ଆଡପ ଅବଢ଼ା ଲାଗି ହୋଇଥାଏ । ଯାହାକୁ ପାଇବା ପାଇଁ ଭକ୍ତମାନେ ଚାତକ ଭଳି ଚାହିଁ ବସିଛନ୍ତି । ଆଜିଠୁ ଏହି ଆଡପ ଅବଢ଼ା ମିଳିବ ବୋଲି ସୂଚନା ମିଳିଛି ।
ଗୁରୁବାର ଭାଇ ଉଭଣୀଙ୍କୁ ସାଙ୍ଗରେ ଧରି ମାଉସୀ ମା ଶ୍ରୀ ଗୁଣ୍ଡିଚା ରାଣୀଙ୍କ ମନ୍ଦିର ଅଭିମୁଖେ ବାହାରିଥିଲେ କାଳିଆ ସାଆନ୍ତେ । ଗୁରୁବାର ସଂନ୍ଧ୍ୟାରେ ଶରଧା ବାଲିରେ ଲାଗିଥିଲା ତିନି ରଥ । ଶୁକ୍ରବାର ସଂନ୍ଧ୍ୟା ପର୍ଯ୍ୟନ୍ତ ରଥାରୁଢ଼ ରହିଥିଲେ ଚତୁର୍ଦ୍ଧା ମୁରତୀ । ଭକ୍ତମାନେ ରଥରେ ଠାକୁରଙ୍କୁ ଦର୍ଶନ କରିଥିଲେ । ତେବେ ଶୁକ୍ରବାର ସଂନ୍ଧ୍ୟାରେ ପହଁଣ୍ଡି କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଆଯାଇଥିଲା । ଜନ୍ମବେଦୀରେ ବିଜେ କରିଛନ୍ତି କାଳିଆ ଠାକୁର ।
କାହିଁ କେଉଁ କାଳରୁ ବିଶ୍ୱାସ ରହିଛି, ବର୍ଷକୁ ଥରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କଲେ କୋଟି ପୁଣ୍ୟ ମିଳେ। ଯେହେତୁ ମହାପ୍ରଭୁ ଖୁସିରେ ଏହି ଯାତ୍ରା ଆରମ୍ଭ କରିଥାନ୍ତି, ଏହି ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତ ଯାହା ମାଗେ, ତାହା ମିଳେ। ଯେଉଁ କାରଣରୁ ଶନିବାର ସକାଳୁ ଭକ୍ତଙ୍କ ଲମ୍ବା ଲାଇନ ଲାଗିଛି । ନେତ୍ର ପବିତ୍ର କରିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସୁଛନ୍ତି କାଳିଆ ଦର୍ଶନ କରିବା ପାଇଁ ।