ପୁରୀ (ଏଟିଆର ବ୍ୟୁରୋ): ଜନ୍ମବେଦୀରେ ଲୀଳାଖେଳା ସାରି ଏବେ ଶ୍ରୀମନ୍ଦିର ସମ୍ମୁଖରେ ତିନି ରଥରେ ବିରାଜମାନ ଶ୍ରୀଜିଉ । ଗତକାଲି ଶୀଜିଉଙ୍କ ସୁନାବେଶ ନୀତି ଅନୁଷ୍ଠିତ ହୋଇଥିଲା । ମହଣ ମହଣ ସୁନାରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମହାପ୍ରଭୁ । ପରମ୍ପରା ମୁତାବକ ଆଜି ଚତୁର୍ଦ୍ଧାମୂରତିଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ । ତିନି ରଥ ଉପରେ ୯ ଟି ମାଟି ହାଣ୍ଡିରେ ପଣା ପ୍ରସ୍ତୁତ ହୋଇ ସଜ ବସିବ । ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣି ଆସିବା ପରେ ତାକୁ ଏକ ପିତଳ ହାଣ୍ଡିରେ ରଖାଯାଇ ସେଥିରେ ପଣା ପ୍ରସ୍ତୁତ କରିବେ ସୁପକାର ଓ ସୁଆର ସେବକ ।
ସେହି ପଣାରେ କ୍ଷୀର, କଦଳୀ, ଛେନା, ଗୋଲମରିଚ, ଜାଇଫଳ ଓ କର୍ପୂର ଆଦି ମିଶ୍ରିତ ପଣାକୁ ପଞ୍ଚ ଉପଚାରରେ ପୂଜା କରାଯିବ । ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ଏବଂ ପୂଜାପଣ୍ଡା ସେବକ ପଣା ହାଣ୍ଡିକୁ ତିନିରଥର ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଏହା ଭଙ୍ଗାଯିବ। ଅଶରୀରୀମାନଙ୍କ ଉଦ୍ଧାର ପାଇଁ ରଥ ଉପରେ ଅଧର ପଣା ହାଣ୍ଡି ଭଙ୍ଗା ଯାଇଥାଏ ବୋଲି ବିଶ୍ୱାସ ରହିଛି ।