ପୁରୀ (ଏଟିଆର ବ୍ୟୁରୋ) ଗତକାଲି ରଥ ଉପରେ ମହଣ ମହଣ ସୁନାରେ ସୁସଜ୍ଜିତ ହୋଇ ଦର୍ଶନ ଦେବା ପରେ ଆଜି ଶ୍ରୀଜିଉଙ୍କଠାରେ ଅନୁଷ୍ଠିତ ହେବ ଅଧରାପଣା ନୀତି । ତ୍ରୟୋଦଶି ତିଥିରେ ଶ୍ରୀଜିଉଙ୍କଠାରେ ଅଧରାପଣା ଲାଗି ହେବା ପରେ ରଥଉପରେ ଅଧରପଣା ହାଣ୍ଡିକୁ ଭଙ୍ଗା ଯାଇ ଅଶିରିରୀ ମାନଙ୍କ ଉଦ୍ଦ୍ୟେଶରେ ସମର୍ପିତ ହେବ ।
ଅଧରାପଣା ପାଇଁ ଶ୍ରୀବିଗ୍ରହମାନଙ୍କ ଅଧର ଉଚ୍ଚାର ଅଧର ହାଣ୍ଡି ପ୍ରସ୍ତୁତ କରି ରଖାଯାଇଛି। ଆଜି ସେହି ହାଣ୍ଡିରେ ଅଧରପଣା ପ୍ରସ୍ତୁତ ହୋଇ ତିନି ରଥରେ ୯ଟି ମାଟିପାତ୍ର ସଜ ବସିବ। ପାଣି ଛଣା ହୋଇ ପିତ୍ତଳ ହଣ୍ଡାରେ ରଖାଯିବା ପରେ ସୁପକାର ବା ସୁଆରମାନେ ପଣା ପ୍ରସ୍ତୁତ କରିବେ।
ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶ୍ରଣରେ ଏହି ପଣା ପ୍ରସ୍ତୁତ କରାଯିବ। ଅଶରୀରିମାନଙ୍କ ଉଦ୍ଧାର ପାଇଁ ରଥ ଉପରେ ଅଧରହାଣ୍ଡି ଭଙ୍ଗାଯିବାର ପରମ୍ପରା ରହିଛି। ରଥର ପାର୍ଶ୍ବ ଦେବାଦେବୀଙ୍କ ସମେତ ମହାପ୍ରଭୁଙ୍କ ସହ ଭୋଗ ପାଇବା ପାଇଁ ଚଣ୍ଡୀ, ଚାମୁଣ୍ଡାମାନେ ଘୂରି ବୁଲୁଥିବାରୁ ଅଧରହାଣ୍ଡି ଭଙ୍ଗାଯାଇ ସେମାନଙ୍କୁ ପଣା ଉତ୍ସର୍ଗ କରାଯାଇଥାଏ।