ପୁରୀ (ଏଟିଆର ବ୍ୟୁରୋ): ଶେଷ ହୋଇଛି ଚତୁର୍ଦ୍ଧାମୂରତିଙ୍କ ପବିତ୍ର ସୁନାବେଶ । ଆଜି ରଥ ଉପରେ ଅନୁଷ୍ଠିତ ହେବ ଅଧରାପଣା ନୀତି । ଏଥି ପାଇଁ ଶ୍ରୀବିଗ୍ରହମାନଙ୍କ ଅଧର ଉଚ୍ଚାର ଅଧର ହାଣ୍ଡି ପ୍ରସ୍ତୁତ କରି ରଖାଯାଇଛି। ଆଜି ସେହି ହାଣ୍ଡିରେ ଅଧରପଣା ପ୍ରସ୍ତୁତ ହୋଇ ତିନି ରଥରେ ୯ଟି ମାଟିପାତ୍ର ସଜ ବସିବ। ପାଣି ଛଣା ହୋଇ ପିତ୍ତଳ ହଣ୍ଡାରେ ରଖାଯିବା ପରେ ସୁପକାର ବା ସୁଆରମାନେ ପଣା ପ୍ରସ୍ତୁତ କରିବେ।
ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶ୍ରଣରେ ଏହି ପଣା ପ୍ରସ୍ତୁତ କରାଯିବ। ଅଶରୀରିମାନଙ୍କ ଉଦ୍ଧାର ପାଇଁ ରଥ ଉପରେ ଅଧରହାଣ୍ଡି ଭଙ୍ଗାଯିବାର ପରମ୍ପରା ରହିଛି। ରଥର ପାର୍ଶ୍ବ ଦେବାଦେବୀଙ୍କ ସମେତ ମହାପ୍ରଭୁଙ୍କ ସହ ଭୋଗ ପାଇବା ପାଇଁ ଚଣ୍ଡୀ, ଚାମୁଣ୍ଡାମାନେ ଘୂରି ବୁଲୁଥିବାରୁ ଅଧରହାଣ୍ଡି ଭଙ୍ଗାଯାଇ ସେମାନଙ୍କୁ ପଣା ଉତ୍ସର୍ଗ କରାଯାଇଥାଏ।
ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ଏବଂ ପୂଜାପଣ୍ଡା ସେବକ ପଣା ହାଣ୍ଡିକୁ ତିନି ରଥର ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଏହା ଭଙ୍ଗାଯିବ।