ବ୍ରହ୍ମଗିରି (ଏଟିଆର ବ୍ୟୁରୋ): ଅଣସର ପିଣ୍ଡିରେ ଶ୍ରୀଜିଉଙ୍କ ଅସୁସ୍ଥତାର ଉପଚାର ପାଇଁ ଦଇତାପତି ସେବାୟତମାନେ ଲାଗି ପଡିଛନ୍ତି । ଅଣସର ପିଣ୍ଡିରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ତିନି ଦିନ ଧରି ଓଷ ଲାଗି ପରେ ଏବେ ଦଶମୂଳ ମୋଦକ ଓ ଖଳି ଲାଗି ହେବ । କିନ୍ତୁ ଅନବସର ସମୟରେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ଥିବା ହେତୁ ବ୍ରହ୍ମଗିରି ସ୍ଥିତ ମହାପ୍ରଭୁଙ୍କ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଅଲାରନାଥଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ ଲାଗିଛି । ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶଙ୍ଖ ଚକ୍ର ଗଦା ପଦ୍ମ ଧାରୀ ଚତୁର୍ଭୁଜ ନାରାୟଣ । ଅଲାରନାଥଙ୍କ ଅନବସର ଦର୍ଶନକୁ ରହିଲା ଆଉ ୪ ଦିନ । ଆଜି ଏକାଦଶୀ ତିଥିରେ ଅଲାରନାଥ ମହାପ୍ରଭୁ ଭକ୍ତଙ୍କୁ ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ।
ବିଶ୍ୱାସ ରହିଛି କି ଶ୍ରୀଜିଉଙ୍କ ଅନବସର ସମୟରେ ଖିରି ଖିଆ ଭଗବାନ ଅଲାରନାଥଙ୍କୁ ଦର୍ଶନ କରିବା ଦ୍ୱାରା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ଭଳି ସମଫଳ ପ୍ରାପ୍ତି ହୋଇଥାଏ । ଅନବସରର ୧୪ ଦିନ ଯାକ ଅଲାରନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାର ବିଧି ରହିଛି ।
ଆଜି ଭୋରୁ ଅଲାରନାଥଙ୍କ ଦ୍ୱାରଫିଟା ନୀତି ହୋଇ ୩ଟା ୩୦ ରେ ମଙ୍ଗଳ ଆଳତୀ ତାପରେ ତଡପଲାଗି, ଅବକାଶ, ବେଶ , ତୁଳସୀ ଲାଗି ଏବଂ ଗୋପାଳବଲ୍ଲଭ ନୀତି ଶେଷ ହୋଇଥିଲା । ଏହାପରେ ସକାଳ ୫ ଟା ୩୦ ରେ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ ।