ପୁରୀ (ଏଟିଆର ବ୍ୟୁରୋ); ଆଜିଠାରୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ । ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଥିବା ଶ୍ରୀ ଅଲାରନାଥଙ୍କ ଦର୍ଶନ ପାଇଁ ଲାଗିବ ଭକ୍ତଙ୍କ ଭିଡ । ଗତକାଲି ମହାପ୍ରଭୁଙ୍କ ସ୍ନାନ ଯାତ୍ରା ହୋଇଥିଲା । ଚତୁର୍ଦ୍ଧା ମୁରତି ଅତ୍ୟଧିକ ସ୍ନାନ କରିବା ପରେ ଆଜିଠାରୁ ଜ୍ୱରରେ ପଡିବେ । ମହାପ୍ରଭୁ ଜ୍ୱରରେ ଅଣସର ଘରେ ପଡିବେ । ଏଣୁ ଏହି ଅଣସର ଦର୍ଶନ ପାଇଁ ଭକ୍ତମାନେ ଅଲାରନାଥଙ୍କ ପୀଠକୁ ଯିବ । ଅଲାରନାଥଙ୍କ ଦର୍ଶନ ଲାଗି ଭକ୍ତଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଛି ।
ଚତୁର୍ଦ୍ଧା ମୂର୍ତ୍ତି ଅତ୍ୟଧିକ ସ୍ନାନ ପରେ ଜ୍ବରରେ ଆକ୍ରାନ୍ତ ହୋଇ ଅଣସର ପିଣ୍ତିକୁ ବିଜେ କରିଛନ୍ତି। ଅଣସର ପିଣ୍ତିକୁ ବିଜେ ସମୟରେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଉଭା ଅମାବାସ୍ୟା ପର୍ୟ୍ୟନ୍ତ ଅଲାରନାଥଙ୍କ ଅଣସର ଦର୍ଶନ ହୋଇଥାଏ। ଭୋର ଚାରିଟାରେ ମନ୍ଦିର ଖୋଲାଯିବା ପରେ ମଙ୍ଗଳ ଆଳତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ବାରପାଳ ପୂଜା, ବଲ୍ଲଭ ନୀତି ବଢି ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ହେବ। ସୂର୍ୟ୍ୟପୂଜା, ରୋଷ ହୋମ ନୀତି ବଢି ମଧ୍ୟ୍ୟାହ୍ନ ୧୨ଟା ସୁଦ୍ଧା ସକାଳ ଧୂପ ବଢ଼ିବ। ମଧ୍ୟାହ୍ନ ଗୋଟାଏ ସୁଦ୍ଧା ଦ୍ବିପ୍ରହର ଧୂପ ନୀତି ବଢ଼ି ଶ୍ରୀଜିଉଙ୍କ ପହଡ଼ ନୀତି ବଢିବ। ମଧ୍ୟାହ୍ନ ସାଢେ ଗୋଟଏରୁ ପୁଣି ଥରେ ସର୍ବସାଧାରଣ ଦର୍ଶନ ଚାଲିବ ବୋଲି ସେବାୟତ ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି।