ବ୍ରହ୍ମଗିରି (ଏଟିଆର ବ୍ୟୁରୋ): ଅଣସର ପିଣ୍ଡିରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଓଷ ଲାଗି ପରେ ଦଶମୂଳ ମୋଦକ ଓ ଖଳି ଲାଗି ହୋଇଛି । କିନ୍ତୁ ଅନବସର ସମୟରେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ଥିବା ହେତୁ ବ୍ରହ୍ମଗିରି ସ୍ଥିତ ମହାପ୍ରଭୁଙ୍କ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଅନବସର ଦର୍ଶନ ର ଆଜି ୧୧ ଦିନ । ଆଉ ମାତ୍ର ୩ ଦିନ ରହିଲା ଅଲାରନାଥଙ୍କ ଦର୍ଶନ । ସେଥିପପାଇଁ ଅଲାରନାଥଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ ଲାଗିଛି । ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶଙ୍ଖ ଚକ୍ର ଗଦା ପଦ୍ମ ଧାରୀ ଚତୁର୍ଭୁଜ ନାରାୟଣ ।
ବିଶ୍ୱାସ ରହିଛି କି ଶ୍ରୀଜିଉଙ୍କ ଅନବସର ସମୟରେ ଖିରି ଖିଆ ଭଗବାନ ଅଲାରନାଥଙ୍କୁ ଦର୍ଶନ କରିବା ଦ୍ୱାରା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ଭଳି ସମଫଳ ପ୍ରାପ୍ତି ହୋଇଥାଏ । ଅନବସରର ୧୪ ଦିନ ଯାକ ଅଲାରନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାର ବିଧି ରହିଛି ।
ଆଜି ଭୋରୁ ଅଲାରନାଥଙ୍କ ଦ୍ୱାରଫିଟା ନୀତି ହୋଇ ୩ଟା ୩୦ ରେ ମଙ୍ଗଳ ଆଳତୀ ତାପରେ ତଡପଲାଗି, ଅବକାଶ, ବେଶ , ତୁଳସୀ ଲାଗି ଏବଂ ଗୋପାଳବଲ୍ଲଭ ନୀତି ଶେଷ ହୋଇଥିଲା । ଏହାପରେ ସକାଳ ୫ ଟା ୩୦ ରେ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ ।