ପୁରୀ (ଏଟିଆର ବ୍ୟୁରୋ): ଆଜି ଶ୍ରୀମନ୍ଦିରରେ ବାଡିନୃସିଂହ ନଗର ବିଜେ । ଚୈତ୍ର ମାସ ଚତୁର୍ଥୀ ଅବସରରେ ଏହି ନୀତିକାନ୍ତି ହୋଇଥାଏ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ଅନେକ ପରାମ୍ପରା ଏବଂ ନୀତିକାନ୍ତି ରହିଛି । ସେଥିମଧ୍ୟରୁ କିଛି ପରମ୍ପରା ମାନବିକ ଜୀବନ ସହ ଜଡିତ । ସେହି ଅନୁଯାୟୀ ମନୁଷ୍ୟ ଜୀବନରେ ଘଟିଥିବା ପ୍ରତ୍ୟେକ ବିପତ୍ତି ବା ପ୍ରାକୃତିକ ବିପର୍ଯ୍ୟୟକୁ ନିରାକରଣ ନିମେନ୍ତ ଶ୍ରୀମନ୍ଦିରରେ ଅନନ୍ୟ ପରମ୍ପରା ରହିଛି । ସେହି ପରମ୍ପରା ମଧ୍ୟରୁ ବାଡିନୃସିଂହ ନଗର ବିଜେ ଅନ୍ୟତମ ।
ଏହି ଅବସରରେ ଶ୍ରୀମନ୍ଦିରର ଦକ୍ଷୀଣ ଘରୁ ବାଡିନୃସିଂହ ବାହାରି ନଗର ପରିକ୍ରମା କରିଥାନ୍ତି । ଏହାସହିତ ଶ୍ରୀକ୍ଷେତ୍ରରେ ଥିବା ଚାରୋଟି ଆଶ୍ରମରେ ବାଡିନୃସିଂହ ବିଜେ କରି ଜଗତ କଲ୍ୟାଣ କରିଥାନ୍ତି । ଏହାପରେ ମହାମାରୀ ଆୟତ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
କୁହାଯାଏ ୧୯୦୩-୦୫ ମସିହାରେ ହଇଜା ବ୍ୟାପି ଯାଇଥିଲା । ଏହାକୁ ଆୟତ୍ତ କରିବା ସମ୍ଭବ ହୋଇନଥିଲା । ଯାହାଫଳରେ ଅନେକ ସଂଖ୍ୟକ ଲୋକ ପୋକ ମାଛି ଭଳି ମୃତ୍ୟୁ ବରଣ କରିଥିଲେ । ପରିସ୍ଥିତି ଅସମ୍ଭାଳ ହେବାର ଦେଖି ଶ୍ରୀମନ୍ଦିରର ମୁଖିଆ ସମସ୍ତ ପଣ୍ଡିତମାନଙ୍କୁ ଡକାଇ ଶ୍ରିଜିଉଙ୍କ ଶରଣାରଗତ ହେବାକୁ କହିଥିଲେ । ସେବେଠାରୁ ବାଡିନୃସିଂହ ନୀତି ଆରମ୍ଭ ହୋଇଥିଲା । ଏହାପରେ ମହାମାରୀ କୁଆଡେ ଉଭେଇ ଯାଇଥିଲା । ସେଥିପାଇଁ ସେହି ନୀତି ଏପର୍ଯ୍ୟନ୍ତ ପ୍ରଚଳିତ ହୋଇ ଆସୁଛି । ପ୍ରତ୍ୟେକ ବର୍ଷ ଚୈତ୍ର ଚତୁର୍ଥୀ ଅବସରରେ ଏହି ନୀତି ହୋଇଥାଏ ।