ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମାନୁଯାୟୀ ପୂଜା ପାଠରେ ପଞ୍ଚାମୃତ ବ୍ୟବହାର କରାଯାଇଥାଏ । ପଞ୍ଚାମୃତର ଅର୍ଥ ହେଉଛି ପାଞ୍ଚ ଅମୃତ ମାନେ ଦହି, ଘିଅ, ଖୀର, ଚିନି, ମହୁ ମିଶ୍ରଣ କରି ଏହାକୁ ପ୍ରସ୍ତୁତ କରାଯାଏ । ଏହାକୁ ଭଗବାନଙ୍କ ପ୍ରସାଦ ରୂପେ ବ୍ୟବହାର କରାଯିବା ସହ ଏଥିରେ ଭଗବାନଙ୍କ ଅଭିଶେକ ବି କରାଯାଏ । ଏହାର ଅନେକ ମହତ୍ୱ ରହିଛି ।
ପଞ୍ଚାମୃତ ସେବନ କରିବା ଦ୍ୱାରା ମନୁଷ୍ୟ ଭିତରେ ସକରାତ୍ମକ ଭାବନା ସୃଷ୍ଟି ହୋଇଥାଏ । କିଛି ଗ୍ରନ୍ଥରେ ପଞ୍ଚାମୃତର ମହତ୍ୱ ବିଷୟରେ ବର୍ଣ୍ଣିତ ଅଛି । ଶ୍ରଦ୍ଧାପୂର୍ବକ ପଞ୍ଚାମୃତ ପାନ କରିବା ଦ୍ୱାରା ମନୁଷ୍ୟ ଜୀବନରେ ସମସ୍ତ ପ୍ରକାରର ସୁଖ ଏବଂ ସମୃଦ୍ଧି ପ୍ରାପ୍ତି ହୋଇଥାଏ । ସେହିପରି ଭଗବାନଙ୍କ ଠାରେ ଲାଗି ହୋଇଥିବା ଏହି ପଞ୍ଚାମୃତକୁ ସେବନ କରିବା ଦ୍ୱାରା ମନୁଷ୍ୟ ଜନ୍ମ ଏବଂ ମୃତ୍ୟୁର ବନ୍ଧନରୁ ମୁକ୍ତ ହୋଇଥାଏ ଏବଂ ମୋକ୍ଷ ପ୍ରାପ୍ତି କରିଥାଏ ।
ଅନ୍ୟପଟେ ଆୟୁର୍ବେଦରେ ଖୀର, ଦହି, ଘିଅ, ମହୁ, ଓ ଚିନି ର ମିଶ୍ରଣକୁ ପଞ୍ଚାମୃତ ବୋଲି କୁହାଯାଇଥାଏ । ଚିକିତ୍ସା ଅଧିକାରୀଙ୍କ ମୁତାବକ,ପଞ୍ଚାମୃତ ସେବନ କରିବା ଦ୍ୱାରା ଶରୀରରେ ୭ ଟି ଧାତୁ ବୃଦ୍ଧି ହୋଇଥାଏ । ଏହାର ଅର୍ଥ ରସ, ରକ୍ତ, ମାଂସ ଅସ୍ଥି ଆଦି ବଢିବା ଦ୍ୱାରା ଶରୀର ମଜବୁତ ହୋଇଥାଏ । ଏଥିରେ ରୋଗପ୍ରତିରୋଧକ କ୍ଷମତା ବଢିଥାଏ ଏବଂ ସଂକ୍ରମଣରୁ ବି ରକ୍ଷା ହୋଇଥାଏ ।