ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶିରିଡି ସ୍ଥିତ ସାଇବାବାଙ୍କୁ ଦର୍ଶନ କରିବା ଲାଗି ଦେଶର କୋଣ ଅନୁକୋଣରୁ ଭକ୍ତଙ୍କ ଭିଡ ଜମିଥାଏ । ଏପରିକି ମନ୍ଦିରରେ ଭକ୍ତଙ୍କ ସଂଖ୍ୟା ଏତେ ମାତ୍ରାରେ ବଢିଯାଇଥାଏ ଯେ ସମ୍ଭାଳିବା ଅସମ୍ଭବ ହୋଇଯାଇଥାଏ । ଖାସ୍ କରି କରୋନା କାଳ ମଧ୍ୟରେ ମନ୍ଦିରରେ ଭିଡକୁ ଦୃଷ୍ଟିରେ ରଖି ଏଣିକି ଦର୍ଶନ କରିବା ପାଇଁ ପୂର୍ବରୁ ବୁକିଂ କରିବା ନିମନ୍ତେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିଷ୍ପତି ନିଆଯାଇଛି ।
ଏନେଇ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି କି, ପ୍ରଥମରୁ ପ୍ରତ୍ୟେକ ଦିନ ପାଖାପାଖି ଛଅ ହଜାର ଭକ୍ତ ସାଇବାବାଙ୍କୁ ଦର୍ଶନ ପାଇଁ ଆସୁଥିଲେ । କିନ୍ତୁ ଏବେ ଭକ୍ତଙ୍କ ସଂଖ୍ୟା ବଢିଯାଇଛି । ଖାସ୍ କରି ଗୁରୁବାର ଏବଂ ଛୁଟିଦିନ ମାନଙ୍କରେ ପାଖାପାଖି ୧୫ ହଜାର ଭକ୍ତ ବାବାଙ୍କୁ ଦର୍ଶନ କରିବା ପାଇଁ ପହଁଚି ଯାଉଛନ୍ତି । କିନ୍ତୁ କରୋନା ପ୍ରୋଟୋକଲରେ ଦିନକରେ କେବଳ ୧୨ ହଜାର ଭକ୍ତ ବାବାଙ୍କୁ ଦର୍ଶନ କରିପାରିବେ ।
ଟ୍ରଷ୍ଟ ପକ୍ଷରୁ ଆହୁରୀ ମଧ୍ୟ କୁହାଯାଇଛି କି, ଦର୍ଶନ ସମୟରେ ଭକ୍ତଙ୍କ ମଧ୍ୟରେ ସାମାଜିକ ଦୂରତା ଉପରେ ଜୋର ଦିଆଯିବ । ସେଥିପାଇଁ ଏଣିକି ପୂର୍ବରୁ ବୁକିଂ କରିବା ପରେ ଯାଇ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ । ଅନଲାଇନରେ ଦର୍ଶନ ପାସ୍ ଉପଲବ୍ଧ କରାଯାଇଛି ।