ପୁରୀ (ଏଟିଆର ବ୍ୟୁରୋ); ଅନ୍ତ ହେଲା ସବୁ ପ୍ରତିକ୍ଷା । ଶେଷ ହେଲା ଛେରା ପହଁରା । ତିନି ରଥ ବୁଲି ଠାକୁରଙ୍କୁ ଦର୍ଶନ କରିବା ସହିତ ଛେରା ପହଁରା ସାରିଛନ୍ତି ଗଜନତି ମହାରାଜ । ନିତୀ ନିର୍ଘଣ୍ଟ ଅନୁଯାୟୀ ସବୁକିଛି ଠିକସେ ଚାଲିଛି । ଗଜପତି ମହାରାଜଙ୍କ ଛେରା ପହଁରା ସରିବା ପରେ ବାକି ନୀତି ଆରମ୍ଭ ହେବ । ତେବେ ଠାକୁରଙ୍କୁ ଦର୍ଶନ କରି ପୁରା ମଜି ଯାଇଥିଲେ ମହାରାଜ । ଦିବ୍ୟ ଦର୍ଶନ କରି ମଙ୍ଗଳ କାମନା କରୁଛନ୍ତି ।
ରାଜ ପ୍ରାସାଦରୁ ପାଲିଙ୍କିରେ ରଥରେ ପ୍ରବେଶ କରିଥିଲେ ଗଜପତି ମହାରାଜ । ତାଙ୍କୁ ସେବକମାନେ ବୋହି ଆଣିଥିଲେ । ଏବଂ ସେବାୟତମାନେ ରଥ ଉପରକୁ ପାଛୋଟି ନେଇଥିଲେ । ଏହାପରେ ଠାକୁରଙ୍କୁ ଦର୍ଶନ କରି ସୁନା ଖଡିକାରେ ରଥକୁ ଛେରା ପହଁରା କରିଛନ୍ତି ମହାରାଜ । ଗୋଟିଏ ପରେ ଗୋଟିଏ ରଥ ବୁଲି କରିଥିଲେ ଛେରା ପହଁରା ।
ଛେରା ପହଁରା ସରିବା ପରେ ବାକି ନୀତି ଅନୁଷ୍ଠିତ ହେବ । ରଥରେ ଘୋଡା ବନ୍ଧା ହେବା ପରେ ଡାହୁକ ବସିବା ପରେ ରଥଟଣା ହେବ । ରଥ ଟାଣିବା ପାଇଁ ଭକ୍ତମାନେ ଚାତକ ଭଳି ଚାହିଁ ବସିଛନ୍ତି । ତେବେ ଆଜି ସକାଳୁ ଭକ୍ତଙ୍କ ଭିଡ ଧିରେ ଧିରେ ବଢ଼ିବାରେ ଲାଗିଛି । ସମୟ ବଢ଼ିବା ସହିତ ଭକ୍ତଙ୍କ ଭିଡ ମଧ୍ୟ ଜମୁଛି । ପାଖାପାଖି ୧୦ ଲକ୍ଷରୁ ଅଧିକ ଭକ୍ତ ମଧ୍ୟ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।