ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଜନ୍ମାଷ୍ଟମୀ ପାଳିତ ହେବା ପରେ ଆଜି ହେଉଛି ନବମୀ ତିଥି । ଆଜିର ଦିନରେ ଦହି ହାଣ୍ଡି କର୍ଯ୍ୟକ୍ରମ କରାଯାଇଥାଏ । ଏହି ଦହି ହାଣ୍ଡି କାର୍ଯ୍ୟକ୍ରମ ଭଗବାନ ଶ୍ରୀକୃଷ୍ଣଙ୍କ ପିଲାଦିନ ସହ ଜଡିତ । ଏହି ଉତ୍ସବ ମୁଖ୍ୟତଃ ମହାରାଷ୍ଟ୍ର ଏବଂ ଗୋଆରେ ଆୟୋଜନ କରାଯାଇଥାଏ । କିନ୍ତୁ ଏବେ ଦେଶର ବିଭିନ୍ନ ସ୍ଥାନରେ ଏହି ଉତ୍ସବର ଆୟୋଜନ କରାଯାଉଛି । । ତେବେ ଆସନ୍ତୁ ଜାଣିବା କାହିଁକି ପାଳନ କରାଯାଏ ଦହି ହାଣ୍ଡି ଉତ୍ସବ ।
ପିଲାଦିନୁ ଭଗବାନ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ହେଉଛି ଖୀର, ଦହି ଏବଂ ଲହୁଣୀ । ସେ ପିଲାଦିନ ତାଙ୍କ ସଖା ମାନଙ୍କ ସହ ଲୁଚି ଗୋପୀମାନଙ୍କ ଘରେ ପସି ଖୀର, ଦହି , ଲବଣୀ ଚୋରି କରି ଖାଉଥିଲେ । ଏଭଳି ବାରବାର ହେବା ପରେ କୃଷ୍ଣ ଏବଂ ତାଙ୍କ ସଖାମାନେ ଯେପରି ଘରୁ ଖୀର , ଦହି ଲବଣୀ ପାଇ ନପାରିବେ । ସେଥିପାଇଁ ଗୋପୀମାନେ ମାଟି ଘଡିରେ ଖୀର, ଦହି, ଲବଣୀ ରଖି ରସି ସହାୟତାରେ ଉପରେ ଟାଙ୍ଗି ଦେଉଥିଲେ । କିନ୍ତୁ ବାଲ୍ ଗୋପାଲ ଶ୍ରୀକୃଷ୍ଣଙ୍କ ଆଗରେ କିଛି ଲୁଚୁ ନଥିଲା । ସେ ତାଙ୍କ ସଖା ମାନଙ୍କ ସହ ମିଶି ମାନବ ପିରାମିଡ କରି ତା ଉପରେ ବସି ସମସ୍ତ ଦହି, ଖୀର, ଲବଣୀ ଆଦି ଚାଟି ଦେଉଥିଲେ । ଉଂଚା ସ୍ଥାନରେ ମାଟି ହାଣ୍ଡି ଟଙ୍ଗା ହୋଇଥିବା ହେତୁ ଅନେକ ଥର ହାଣ୍ଡି ଭାଙ୍ଗି ମଧ୍ୟ ଯାଏ । ଏହାପରେ ଗୋପୀମାନେ ଯାଇ ମାତା ଯଶୋଦାଙ୍କ ନିକଟରେ ଅଭିଯୋଗ କରିଥାନ୍ତି । ଭଗବାନ ଶ୍ରୀକୃଷ୍ଣଙ୍କର ଏହି ବାଲ୍ ଲୀଳା ଦ୍ୱାରା ପ୍ରେରିତ ହୋଇ ଜନ୍ମାଷ୍ଟମୀର ପର ଦିନ ଦହି ହାଣ୍ଡି ଉତ୍ସବ ପାଳନ କରିବାର ପରମ୍ପରା ରହିଛି ।