ପୁରୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିରରେ ଶୀଜିଉଙ୍କର ବାରମାସରେ ତେର ପର୍ବ ଅନୁଷ୍ଠିତ ହୋଇଥାଏ । ସେହିପରି ଆଜି ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ । ଏହି ଅବସରରେ ଶ୍ରୀଜିଉଙ୍କ ଦମନକ ବା ଦୟଣା ଲାଗି ନୀତି ହେବାର ବିଧି ରହିଛି ।
ସେହିପରି ସକାଳ ଧୂପ ଉଠିବା ପରେ ପଣ୍ଡା ମାନେ ଏକ ରୂପା ପାତ୍ରରେ ଚନ୍ଦନ, ଘଣ୍ଟ ଏବଂ କାହାଳୀ ଧରି ସିଂହାସନକୁ ଆସି ଶ୍ରୀଜିଉଙ୍କ ଠାରେ ଚନ୍ଦନ ଲାଗି କରାଇଥାନ୍ତି । ଏହାପରେ ଶ୍ରୀଜିଉଙ୍କଠାରେ ଅଳଙ୍କାର ଲାଗି ହୋଇଥାଏ । ପୂର୍ବଦିନ ଭୋଗମଣ୍ଡପରେ ରଖାହୋଇଥିବା ଦୟଣାକୁ ପଣ୍ଡାପତି ଆଣିଥାନ୍ତି । ପୁଣି ତିନି ବାଡର ପୁଷ୍ପାଳକମାନେ ତାକୁ ଚାଙ୍ଗୁଡିକି ନେଇଥାନ୍ତି ।
ପରବର୍ତ୍ତି ମୁହୂର୍ତ୍ତରେ ଶ୍ରୀଦେବୀ, ଭୁଦେବୀ, ମଦନମୋହନଙ୍କୁ ମହାଜନମାନେ ହାତରେ ତଳିଛ ପଟୁଆରରେ ଶ୍ରୀମନ୍ଦିରରେ ତିନି ଘେରା ବଲାଇବା ପରେ ଭିତର ସିଂହାସନକୁ ବିଜେ କରାଇଥାନ୍ତି । ଏହାପରେ ଚାଙ୍ଗୁଡିରେ ଥିବା ଦୟଣା ମଇଲମ ଭାବେ ତିନି ଠାକୁରଙ୍କ ଠାରେ ଲାଗି ହୋଇଥାଏ । ପୁଣି ମଧ୍ୟାହ୍ନ ଧୂପ ଏବଂ ବନ୍ଦାପନା କରାଯାଏ । ଏହାପରେ ଯାଇ ଦକ୍ଷୀଣ ଘରକୁ ବିଜେ କରିଥାନ୍ତି ମଦନ ମୋହନ ।