ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ପଞ୍ଚାଙ୍ଗନୁସାରେ ପ୍ରତ୍ୟେକ ବର୍ଷ ମାର୍ଗଶୀର ମାସ ପୂର୍ଣ୍ଣିମା ତିଥିରେ ଭଗବାନ ଦତ୍ତାତ୍ରେୟଙ୍କ ଜୟନ୍ତି ପାଳନ କରାଯାଏ । ପୌରାଣିକ ମାନ୍ୟତାନୁସାରେ ଭଗବାନ ଦତ୍ତାତ୍ରେୟ ହେଉଛନ୍ତି ଭଗବାନ ଶଙ୍କର, ବିଷ୍ଣୁ ଏବଂ ବ୍ରହ୍ମାଙ୍କ ମିଳିତ ରୂପ । ଏହାସହିତ ଭଗବାନ ଦତ୍ତାତ୍ରେୟଙ୍କ ଭିତରେ ଗୁରୁ ଏବଂ ଭଗବାନ ଉଭୟ ନିହିତ । ତାଙ୍କର ତିନୋଟି ମୁଖ ଏବଂ ୬ଟି ହାତ ରହିଛି । ତାଙ୍କ ପୂଜା କରିବା ଦ୍ୱାରା ତ୍ରିଦେବଙ୍କ ଆର୍ଶିବାଦ ଏକାସଙ୍ଗରେ ମିଳିଥାଏ ।
ଭଗବାନ ଦତ୍ତାତ୍ରେୟଙ୍କ କଥା: ଶାସ୍ତ୍ର ଅନୁସାରେ ମହର୍ଷି ଅତ୍ରି ମୁନୀ ଙ୍କ ପତ୍ନୀ ଅନୁସୟାଙ୍କ ପତିବ୍ରତା ଧର୍ମ ର ଚର୍ଚ୍ଚା ତିନି ଲୋକରେ ହେବାରେ ଲାଗିଲା । ଯେତେବେଳେ ଅନୁସୟାଙ୍କ ପତିବ୍ରତା ଧର୍ମ ବିଷୟରେ ନାରଦ କହିଲେ ସେତେବେଳେ ଅନୁସୟାଙ୍କ ପରୀକ୍ଷା ନେବାକୁ ଠାଣି ନେଲେ ମାତା ପାର୍ବତୀ, ଲକ୍ଷ୍ମୀ ଆଉ ଶରଶ୍ୱତୀ । ଅନୁସୟାଙ୍କ ପରୀକ୍ଷା ନେବା ପାଇଁ ତ୍ରିଦେବୀଙ୍କ ଅନୁରୋଧ କ୍ରମେ ତ୍ରିଦେବ ତଥା ବ୍ରହ୍ମା, ବିଷ୍ଣୁ ଓ ଶିବ ପୃଥ୍ୱୀ ଲୋକରେ ପହଁଚିଲେ । ଅତ୍ରି ମୁନୀଙ୍କ ଅନୁପସ୍ଥିତିରେ ତ୍ରିଦେବ ସାଧୁ ବେଶରେ ଅନୁସୟାଙ୍କ ଆଶ୍ରମରେ ପହଁଚିଲେ ଏବଂ ମାତା ଅନୁସୟଙ୍କ ସମ୍ମୁଖରେ ଭୋଜନ କରିବାର ଇଛା ପ୍ରକଟ କଲେ । ଦେବୀ ଅନୁସୟା ଅତିଥି ସକ୍ରାରକୁ ନିଜ ଧର୍ମ ବୋଲି ମାନି ତ୍ରିଦେବଙ୍କୁ ଭୋଜନ ଥାଳି ପରୋସିବେ ବୋଲି ରାଜି ହୋଇଗଲେ । କିନ୍ତୁ ତ୍ରିଦେବ ମାତାଙ୍କ ନିକଟରେ ସର୍ତ୍ତ ରଖିଥିଲେ କି ସେ ନିର୍ବସ୍ତ୍ର ହୋଇ ଭୋଜନ କରାଇବେ । ଏହାପରେ ମାତାଙ୍କୁ ସଂଶୟ ହେଲା । ଏହି ସଂକଟରୁ ବାହାରିବା ପାଇଁ ସେ ଯେତେବେଳେ ତାଙ୍କ ପତି ଅତ୍ରିମୁନୀଙ୍କୁ ସ୍ମରଣ କଲେ ସେତେବେଳେ ତାଙ୍କ ସମ୍ମୁଖରେ ବ୍ରହ୍ମା, ବିଷ୍ଠୁ ଓ ମହେଶ୍ୱର ଛିଡା ହୋଇଥିବାର ନଜର ଆସିଲେ । ଏହାପରେ ମାତା ଅନୁସୟା ଅତ୍ରିମୁନୀଙ୍କ କମଣ୍ଡଳରୁ ଜଳ ନେଇ ତିନି ସାଧୁଙ୍କ ଉପରେ ଛିଞ୍ଚି ଦେବାରୁ ସେ ଛଅ ମାସର ଶିଶୁ ହୋଇଗଲେ ।
ତେବେ ଯାଇ ଅନୁସୟା ସର୍ତ୍ତ ମୁତାବକ ତାଙ୍କୁ ଭୋଜନ କରାଇଲେ । ସେହିପରି ଦୀର୍ଘ ଦିନ ଯାଏଁ ପତିଙ୍କ ବିୟୋଗରେ ତ୍ରିଦେବୀ ବ୍ୟାକୁଳ ହୋଇପଡିଲେ । ସେତେବେଳେ ପୃଥ୍ୱୀ ଲୋକର ବୃତାନ୍ତ ଶୁଣାଇଲେ ନାରଦ । ଏହା ଶୁଣି ପୃଥ୍ୱୀ ଲୋକରେ ପହଁଚିଲେ ତ୍ରିଦେବୀ ଏବଂ ମାତା ଅନୁସୟାଙ୍କୁ କ୍ଷମା ପ୍ରାର୍ଥନା କଲେ । ତ୍ରିଦେବ ମଧ୍ୟ ନିଜ ଭୁଲ୍ ସ୍ୱୀକାର କରି ମାତାଙ୍କ ଗର୍ଭରୁ ଜନ୍ମ ନେବାର ଆଗ୍ରହ କଲେ । ଏହାପରେ ଦତ୍ତାତ୍ରେୟ ରୂପରେ ଜନ୍ମ ନେଲେ ତ୍ରିଦେବ ।