ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ଶାରଦୀୟ ନବରାତ୍ରୀ । ସାରା ଦେଶରେ ପାଳିତ ହେଉଛି ନବରାତ୍ରୀ । ଏନେଇ ଚଳଚଞ୍ଚଳ ସମସ୍ତ ଶକ୍ତିପୀଠ । ଏହି ଅବସରରେ ବିହାର ମୁଙ୍ଗେର ଜିଲ୍ଲାର ପ୍ରସିଦ୍ଧ ମା’ ଚଣ୍ଡିକା ମନ୍ଦିରରେ ମା ସତୀଙ୍କର ଏକ ଚକ୍ଷୁ ପୂଜା କରାଯାଇଥାଏ । ମୁଙ୍ଗେର ଜିଲ୍ଲାରୁ ପାଖାପାଖି ଦୁଇ କିଲୋମିଟର ପୂର୍ବ ଗଙ୍ଗାନଦୀ କୂଳ ପାହାଡୀ ଗୁମ୍ପାରେ ଅବସ୍ଥିତ ମା ଚଣ୍ଡିକାଙ୍କ ମନ୍ଦିର । ବିଶ୍ୱାସ ରହିଛି କି ଏହି ସ୍ଥାନରେ ମାତା ସତୀଙ୍କର ବାମ ଚକ୍ଷୁ ଖସି ପଡିଥିଲା । ଏଠାକୁ ଲୋକେ ଚକ୍ଷୁ ସମ୍ବନ୍ଧୀୟ ରୋଗ ଦୂର କରିବାର ପୂଜା କରିବା ପାଇଁ ଆସିଥାନ୍ତି ଏବଂ ଏଠାରୁ ମା’ଙ୍କର କଳା ନେଇ ଯାଇଥାନ୍ତି । ଏହି କଳା ଚକ୍ଷୁ ସମ୍ବନ୍ଧୀୟ ରୋଗ ଦୂର କରିଥାଏ ବୋଲି ବିଶ୍ୱାସ ରହିଛି ।
ପୌରାଣିକ ମାନ୍ୟତା ଅନୁସାରେ , ଭଗବାନ ଶଙ୍କର ଯେତେବେଳେ ତାଙ୍କ ପତ୍ନୀ ସତୀଙ୍କ ମୃତ ଶରୀରକୁ ନେଇ ତିନି ଲୋକରେ ଭ୍ରମଣ କରୁଥିଲେ, ସେହି ସମୟରେ ସାରା ସୃଷ୍ଟି ଭୟାକୂଳ ହୋଇପଡିଥିଲା । ସେତେବେଳେ ଦେବତାମାନଙ୍କ ଅନୁରୋଧ କ୍ରମେ ଭଗବାନ ବିଷ୍ଣୁ ତାଙ୍କ ସୁଦର୍ଶନ ଚକ୍ର ମାଧ୍ୟମରେ ସତୀଙ୍କ ଶରୀରକୁ ଖଣ୍ଡିତ କରିଥିଲେ । ଯେଉଁ ଯେଉଁ ସ୍ଥାନରେ ସତୀଙ୍କ ଶରୀରର ଖଣ୍ଡ ପଡିଥିଲା ସେହି ସବୁ ସ୍ଥାନରେ ଶକ୍ତିପୀଠ ଗଢି ଉଠିଥିଲା । ଏଥିରେ ମୁଙ୍ଗେରର ଚଣ୍ଡିକା ମନ୍ଦିର ବି ସାମିଲ ଅଛି ।