ପୁରୀ (ଏଟିଆର ବ୍ୟୁରୋ): ଆଜି ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କ ଦ୍ୱିତୀୟା ଓଷା । ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଏହି ବ୍ରତକୁ ମହାଲକ୍ଷ୍ମୀ ପାଳନ କରିଥାନ୍ତି । ଏହିଦିନ ଠାକୁରମାନଙ୍କର ସକାଳ ଧୂପ ବଢିବା ପରେ ଶ୍ରୀଦେବୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ସାତପାହାଚ ଦ୍ୱାରରେ ଥିବା ପାଲିଙ୍କିରେ ବସି ମହାଲକ୍ଷ୍ମୀ ମନ୍ଦିରକୁ ବିଜେ ହୋଇ ସେଠାରେ ପଡିଥିବା ଏକ ଖଟ ଉପରେ ଅଧିଷ୍ଠିତ ହେବା ପରେ ମହାଜନ ସେବକ ମାଙ୍କ ମାଜଣା ପରେ କର୍ପୂର ଲାଗି ହୋଇଥାଏ ।
ଏହାପରେ ଜଣେ ପୂଜାପଣ୍ଡା ସେବକ ଶ୍ରୀଦେବୀଙ୍କୁ ଲକ୍ଷ୍ମୀବ୍ରତ କଥା ଶୁଣାଇଥାନ୍ତି । ପରେ ଭୋଗ ଓ ବନ୍ଦାପନା ହୋଇଥାଏ । ଭିତରେ ମଧ୍ୟାହ୍ନ ଧୂପ ବଢିବା ପରେ ରତ୍ନ ସିଂହାସନକୁ ବିଜେ କରିଥାନ୍ତି ଶ୍ରୀଦେବୀ ।
ଓଡିଶାରେ ପାଳିତ ହେଉଥିବା ଏହି ଓଷା ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ନାମରେ ଜଣା ଯାଇଥାଏ ଯେପରିକି ଦୂତି ବାହନ ଓଷା, ଦୁତିଅ ଓଷା,ଦୂତିବାମନ ଓଷା, ପୁଅ ଜିଉଁତିଆ ଓଷା ।