ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯଦି ଆପଣ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଏବଂ ଆପଣଙ୍କୁ ନକରାତ୍ମକ ଶକ୍ତି ଘେରି ରଖିଛି ତେବେ ଆପଣଙ୍କୁ ବୈଭବ ଲକ୍ଷ୍ମୀ ବ୍ରତ ରଖିବା ଉଚିତ୍ । ଯେକୌଣସି ବ୍ୟକ୍ତି ଏହି ବ୍ରତ ରଖି ପାରିବେ । କିନ୍ତୁ ଆର୍ଥିକ ସଙ୍କଟ ଏବଂ ସମସ୍ୟା ସାମ୍ନା କରୁଥିବା ବ୍ୟକ୍ତିଙ୍କୁ ପ୍ରତ୍ୟେକ ଶୁକ୍ରବାର ଏହି ବ୍ରତ ଶ୍ରଦ୍ଧା ମନରେ ରଖିବା ଉଚିତ୍ । ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହେବ । ଦେବୀ ଲକ୍ଷ୍ମୀଙ୍କର ଆଠଟି ରୂପ ମଧ୍ୟରୁ ଗୋଟେ ହେଉଛି ବୈଭବ ଲକ୍ଷ୍ମୀ । ଯାହାଙ୍କ ପୂଜା କରିବା ଦ୍ୱାରା ଦରିଦ୍ରତା ଦୂର ହୋଇଥାଏ ଏବଂ ଧନ, ବୈଭବ, ସମୃଦ୍ଧି ପ୍ରାପ୍ତି ହୋଇଥାଏ ।
ବୈଭବ ଲକ୍ଷ୍ମୀଙ୍କ ପୂଜା ଏବଂ ବ୍ରତ ବିଧି:
ଶୁକ୍ରବାର ବ୍ରହ୍ମମୂହୁର୍ତ୍ତରେ ଉଠି ସ୍ନାନ ଆଦି କାମ ସାରନ୍ତୁ । ଏହାପରେ ସ୍ୱଚ୍ଛ ବସ୍ତ୍ର ଧାରଣ କରି ବୈଭବ ଲକ୍ଷ୍ମୀଙ୍କ ପୂଜା ଏବଂ ବ୍ରତର ସଂକଳ୍ପ କରନ୍ତୁ । ମାଙ୍କ ପୂଜା ପାଇଁ ଉଭୟ ମହିଳା ଓ ପୁରୁଷଙ୍କୁ ଧଳା ଓ ଲାଲ ରଙ୍ଗର ଫୁଷ୍ପ ଚନ୍ଦନ ଆଦି ଉପଯୋଗ କରିବା ଉଚିତ୍ । ଏହାପରେ ମାଙ୍କୁ ଅକ୍ଷତ, ପୁଷ୍ପ, ଫଳ, ଧୂପ, ଦୀପ , ଗନ୍ଧ ଆଦି ଦ୍ୱାରା ପୂଜନ୍ତୁ । ପୁଣି ମାଙ୍କ ଠାରେ ଖୀରି ଭୋଗ ଲଗାନ୍ତୁ । ପୂଜା ଶେଷରେ ବୈଭବ ଲକ୍ଷ୍ମୀଙ୍କ ଆରତୀ କରି ପ୍ରସାଦ ଗ୍ରହଣ କରନ୍ତୁ । ବୈଭବ ଲକ୍ଷ୍ମୀଙ୍କ ବ୍ରତ ଦିନ ଗୋଟେ ବେଳା ଭୋଜନ କରିବା ଉଚିତ୍ । ଏହାସହିତ ପ୍ରସାଦରେ ଖୀରି ସେବନ କରିବା ଉଚିତ୍ ।