ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମାନୁଯାୟୀ ଶନିବାର ଶନିଦେବଙ୍କୁ ପୂଜା କରାଯାଇଥାଏ । କୁହାଯାଏ କି ଯେଉଁ ବ୍ୟକ୍ତି ନିଜ ଜାତକରେ ଶନିଙ୍କ ଦଶାକୁ ସୁଧାରିବାକୁ ଚାହୁଁଛନ୍ତି, ତେବେ ଶନିବାର ଦିନ ସେମାନଙ୍କୁ ଶନି ମନ୍ଦିର ଯିବା ଉଚିତ୍ । ଦେଶରେ ଅନେକ ମନ୍ଦିର ରହିଛି । ଯାହାର ମାନ୍ୟତା ଦୂର-ଦୂରାନ୍ତରକୁ ବ୍ୟାପିଛି । ଆଜି ଆମେ ଆପଣଙ୍କୁ ଶନିଦେବଙ୍କ ଏଭଳି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯେଉଁଠି ବର୍ଷକରେ ଗୋଟେଥର ଚମତ୍କାର ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ମନ୍ଦିର ବିଷୟରେ..
ଏହି ମନ୍ଦିର ସମୁଦ୍ର ତଟରୁ ପାଖାପାଖି ୭୦୦ ଫୁଟ ଉଚ୍ଚରେ ଅବସ୍ଥିତ । ପୌରାଣିକ କଥା ଅନୁସାରେ ନ୍ୟାୟ ଦେବତା ଶନି ଦେବ ହେଉଛନ୍ତି ଦେବୀ ଯମୁନାଙ୍କ ଭାଇ । ଦେବଭୂମି ଉତ୍ତରାଖଣ୍ଡର ଖରଶାଳୀରେ ଶନିଦେବ ଧାମ ଅବସ୍ଥିତ । ମାନ୍ୟତା ରହିଛି କି ଏଠାକୁ ଲୋକ ନିଜର କଷ୍ଟକୁ ଦୂର କରିବା ପାଇଁ ପ୍ରତ୍ୟେକ ବର୍ଷ ଆସିଥାନ୍ତି ଏବଂ ଶନିଦେବଙ୍କ ଦର୍ଶନ କରିଥାନ୍ତି ।
ସୂଚନାଯୋଗ୍ୟ, ପଞ୍ଚୁପାଣ୍ଡବଙ୍କ ଦ୍ୱାରା ଏହି ମନ୍ଦିର ନିର୍ମାଣ କରାଯାଇଥିଲା । ମନ୍ଦିରଟି ୫ ମହଲା ବିଶିଷ୍ଟ, କିନ୍ତୁ ବାହାରୁ ଦେଖିଲେ ଏହା ଜଣାପଡେ ନାହିଁ । ଏହି ମନ୍ଦିର ନିର୍ମାଣରେ ପଥର ଏବଂ କାଠ ବ୍ୟବହାର କରାଯାଇଛି । ଏଠାରେ ଶନିଦେବଙ୍କ କାଂସ୍ୟ ମୂର୍ତ୍ତି ବିରାଜମାନ କରିଛନ୍ତି । ଏହାସହିତ ମନ୍ଦିରରେ ଅଖଣ୍ଡ ଜ୍ୟୋତି ମଧ୍ୟ ରହିଛି । ବିଶ୍ୱାସ ରହିଛି କି ଏହି ଅଖଣ୍ଡ ଜ୍ୟୋତିକୁ ଦର୍ଶନ କରିବା ମାତ୍ରେ ହିଁ ଜୀବନର ସମସ୍ତ ଦୁଃଖ ଦୂର ହୋଇଥାଏ ଏବଂ ଶନିଦୋଷରୁ ମୁକ୍ତି ମିଳିଥାଏ । ଏହି ମନ୍ଦିରରେ ବର୍ଷକରେ ଗୋଟେ ଥର ଚମତ୍କାର ହୋଇଥାଏ ।
ସ୍ଥାନୀୟ ଲୋକଙ୍କ ମତରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ମନ୍ଦିର ଉପରେ ରଖାଯାଇଥିବା ଘଡି ବା ମାଠିଆ ଆପେ ଆପେ ବଦଳି ଯାଇଥାଏ । ଏହାସହିତ ଏହିଦିନ ଯେଉଁ ଭକ୍ତ ଶନିଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରକୁ ଆସିଥାନ୍ତି ସେମାନଙ୍କର ସମସ୍ତ କଷ୍ଟ ଦୂର ହୋଇଥାଏ ।
କିମ୍ବଦନ୍ତୀ ଅନୁଯାୟୀ ପ୍ରତିବର୍ଷ ଅକ୍ଷୟ ତୃତୀୟରେ ଶନିଦେବ ଯମୁନାତ୍ରୀ ଧାମକୁ ତାଙ୍କ ଭଉଣୀ ଯମୁନାଙ୍କୁ ଭେଟି ଖରଶାଳୀ ଫେରିଥାନ୍ତି ।