ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଆସନ୍ତା ୧୦ ତାରିଖ ଲାଗିବ । ଏହି ଚନ୍ଦ୍ର ଗ୍ରହଣ ୧୦ ତାରିଖ ମଧ୍ୟ ରାତ୍ରରେ ଲାଗିବ । ତେବେ ଏହି ଗ୍ରହଣ ଉପଛାୟା ଯୋଗୁ ହେଉଥିବାରୁ ଏହା ଭାରତରେ ଦେଖାଗଲେ ମଧ୍ୟ କୌଣସି ସୁତକ ଲାଗୁ ହେବନି । ସାଧାରଣତଃ ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ର ଗୋଟିଏ ସରଳ ରେଖାରେ ପୂର୍ଣ୍ଣିମା ରହିଲେ ଚନ୍ଦ୍ର ଗ୍ରହଣ ହୋଇଥାଏ ।
ତେବେ ୧୦ ତାରିଖରେ ହେବାକୁ ଥିବା ଚନ୍ଦ୍ର ଗ୍ରହଣରେ ଏପରି ହେବ ନାହିଁ । ଚନ୍ଦ୍ର ପୃଥିବୀର ଛାୟା ସିଧାରେ ନ ରହି ଉପଛାୟା ଅଞ୍ଚଳରେ ରହିବ । ତେଣୁ ଚନ୍ଦ୍ରର ଉଜ୍ୱଳତା କିଛି ସମୟ ପାଇଁ କମିଯାଇ ପୁଣି ଉଜ୍ୱଳତା ଫେରିବ ବୋଲି ନାସା ପକ୍ଷରୁ କୁହାଯାଇଛି । ଏହି ଚନ୍ଦ୍ର ଗ୍ରହଣ ରାତି ୧୦ଟା ୩୮ ମିନିଟରୁ ଆରମ୍ଭ ହୋଇ ୨ଟା ୪୨ ମିନିଟରେ ମୋକ୍ଷ ପାଇବ । ଚଳିତ ବର୍ଷ ଜୁନ୫, ଜୁଲାଇ୫ ଏବଂ ନଭେମ୍ବର୩୦ରେ ମଧ୍ୟ ଏଭଳି ଉପଛାୟା ଚନ୍ଦ୍ର ଗ୍ରହଣ ହେବ ବୋଲି ସୂଚନା ରହିଛି । ୧୦ ତାରିଖରେ ହେବାକୁ ଥିବା ଚନ୍ଦ୍ର ଗ୍ରହଣରେ ଦେବନୀତି ସ୍ୱଭାବିକ ଭାବେ କରାଯିବ ।