ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ଶାରଦୀୟ ନବରାତ୍ରୀ । ଏହି ଅବସରରେ ନଅ ଦିନ ଯାକ ମା ଦୁର୍ଗାଙ୍କର ନଅଟି ସ୍ୱରୂପ ପୂଜା ପାଇଥାନ୍ତି । ସେହିପରି ନବରାତ୍ରିର ପ୍ରଥମ ଦିନରେ ଆଜି ମା ଦୁର୍ଗାଙ୍କର ପ୍ରଥମ ସ୍ୱରୂପ ଶୈଳପୁତ୍ରୀଙ୍କ ପୂଜା । ଶୈଳପୁତ୍ରୀଙ୍କ ଉପାସନାରୁ ହିଁ ଆରମ୍ଭ ହୋଇଥାଏ ନବରାତ୍ରୀ । ଗିରିରାଜ ହିମାଳୟଙ୍କ ପୁତ୍ରୀ ହେଉଛନ୍ତି ଶୈଳପୁତ୍ରୀ ।
ଶୈଳର ଅର୍ଥ ହେଉଛି ପର୍ବତ । ପର୍ବତ ଦୃଢ ଏବଂ ଏହାକୁ କେହି ହଲାଇ ପାରିବେ ନାହିଁ । ଯେତେବେଳେ ଆମେ ଭଗବାନଙ୍କ ପ୍ରତି ଭକ୍ତିର ରାସ୍ତା ବାଛିଥାଉ ସେତେବେଳେ ଆମକୁ ମଧ୍ୟ ପର୍ବତ ପରି ଦୃଢ ରହିବାକୁ ପଡିଥାଏ । ମନରେ ମଧ୍ୟ ଭଗବାନଙ୍କ ଉପରେ ଅବିସ୍ମରଣୀୟ ବିଶ୍ୱାସ ରହିବା ଉଚିତ୍, ତେବେ ଯାଇ ଆମେ କେବଳ ଲକ୍ଷ୍ୟରେ ପହଞ୍ଚି ପାରିବା । ସେଥିପାଇଁ ନବରାତ୍ରୀର ପ୍ରଥମ ଦିନରେ ଶୈଳପୁତ୍ରୀ ମାଙ୍କୁ ପୂଜା କରାଯାଏ ।
ବିଶ୍ୱାସ ରହିଛି କି ନବରାତ୍ରୀରେ ମା ଶୈଳପୁତ୍ରୀଙ୍କୁ ପୂଜା କରିବା ଦ୍ୱାରା ଜୀବନରେ ସ୍ଥିରତା ଆସିଥାଏ । ଆସନ୍ତୁ ଜାଣିବା ମା ଶୈଳପୁତ୍ରୀଙ୍କ ସ୍ୱରୁପ ଏବଂ ତାଙ୍କ ପୂଜା ପଦ୍ଧତି ବିଷୟରେ କିଛି ବିଶେଷ ଜିନିଷ ।
ନବରାତ୍ରୀର ପ୍ରଥମ ଦିନ କଳଶ ସ୍ଥାପନା କରି ସଂକଳ୍ପ ନେବା ପରେ ମା ଶୈଳପୁତ୍ରୀଙ୍କ ପୂଜା କରାଯାଇଥାଏ । ମା’ଙ୍କୁ ସିନ୍ଦୁର, ଅକ୍ଷତ, ଧୂପ ଆଦି ଦିଆଯିବା ସହ ମନ୍ତ୍ର ଉଚ୍ଚାରଣ କରି ପୂଜା କରାଯାଇଥାଏ । କୁହାଯାଏ ମା ଶୈଳପୁତ୍ରୀଙ୍କ ପ୍ରିୟ ରଙ୍ଗ ହେଉଛି ଧଳା । ସେଥିପାଇଁ ପୂଜାରେ ସବୁ ଜିନିଷ ଫୁଲ , ଫଳ , ଭୋଗ ଆଦି ଧଳା ରଙ୍ଗର ଲଗାଇବା ଶୁଭ ହୋଇଥାଏ ।
ନବରାତ୍ରିର ପ୍ରଥମ ଦିନରେ ମା ଦୁର୍ଗାଙ୍କ ପ୍ରଥମ ସ୍ୱରୂପ ଶୈଳପୁତ୍ରୀଙ୍କ ପୂଜା କରାଯାଇଥାଏ । ତାଙ୍କୁ ସୌଭାଗ୍ୟ ଏବଂ ଶାନ୍ତିର ଦେବୀ ବୋଲି କୁହାଯାଏ । ବିଶ୍ୱାସ ରହିଛି କି ଶେଅଳପୁତ୍ରୀଙ୍କ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାରର ସୁଖ ଏବଂ ମନବାଞ୍ଛିତ ଫଳ ପ୍ରାପ୍ତି ହୋଇଥାଏ । କେବଳ ଏତିକି ନୁହେଁ ସମସ୍ତ ଡର ଏବଂ ଭୟ ଦୂର କରିଥାନ୍ତି ଶୈଳପୁତ୍ରୀ । କୁହାଯାଏ ଶୈଳପୁତ୍ରୀଙ୍କ କୃପାରୁ ବ୍ୟକ୍ତିଙ୍କୁ ଯଶ, କିର୍ତ୍ତି ଏବଂ ଧନ ପ୍ରାପ୍ତି ହୋଇଥାଏ । ଶୈଳପୁତ୍ରୀଙ୍କ ଡାହାଣ ହାତରେ ତ୍ରିଶୁଳ ଏବଂ ବାମ ହାତରେ ପଦ୍ମ ଫୁଲ ଥାଏ । ନନ୍ଦୀ ହେଉଛନ୍ତି ମାଙ୍କର ବାହାନ । ସେ ନନ୍ଦୀ ଉପରେ ବସି ହିମାଳୟରେ ବିରାଜିତ ।